
ବିନା କାଗଜ ପତ୍ରରେ ଚାଲୁଥିଲା ଜରୁରୀ କାଳୀନ ଘରୋଇ ଆମ୍ବୁଲାନ୍ସ । ନା ଥିଲା ଗାଡିର ବୀମା, ଫିଟନେସ ନା ଗାଡ଼ିରେ ରହିଥିଲା ରୋଗୀ ପାଇଁ ଜରୁରି ଅକ୍ସିଜେନ ସିଲିଣ୍ଡର । ନାହିଁ ନାହିରେ ଚାଲୁଥିଲା ଘରୋଇ ଆମ୍ବୁଲାନ୍ସ । ରୋଗୀଙ୍କୁ କରୁଥିଲେ ଶୋଷଣ । ଏ ନେଇ ଖୋର୍ଦ୍ଧା ପରିବହନ ବିଭାଗ ଖବର ପାଇବା ପରେ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ କରିଥିଲା ଚଢାଉ । ଏହି ଚଢାଉ ଖୋର୍ଦ୍ଧା ପରିଵହନ ବିଭାଗର ସହକାରୀ ନିରୀକ୍ଷକ ତୃପ୍ତିରେଖା ଜେନାଙ୍କ ନେତୃତ୍ୱ ରେ କରାଯାଇଥିଲା । ଆରଟିଓ କର୍ମଚାରୀଙ୍କୁ ଦେଖି ଆମ୍ବୁଲାନ୍ସ ଛାଡି ଚାଳକ ମାନେ ଲୁଚି ଫେରାର ହୋଇଯାଇଥିଲେ । ଯାହାଫଳରେ ଗାଡି ଗୁଡିକ ଛିଡା ହୋଇଥିବାରୁ ପରିଵହନ ବିଭାଗ ଚାଲାଣ କାଟିପାରି ନାହିଁ ।
ଗାଡି ଗୁଡିକ ଯାଞ୍ଚ କରିବା ସମୟରେ ମଧ୍ୟ କୌଣସି ଗାଡିର ଫିଟନେସ, ବୀମା, ଅକ୍ସିଜେନ ନଥିବା ଜାଣିବାକୁ ପାଇଥିଲା ପରିଵହନ ବିଭାଗ । ତେଣୁ ୧୫ ଦିନ ମଧ୍ୟରେ କାଗଜ ପତ୍ର ଠିକ କରିବାକୁ ନିର୍ଦେଶ ଦେଇଛି ପରିଵହନ ବିଭାଗ । ନଚେତ ସ୍ଥାନୀୟ ପୋଲିସ ସହାୟତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପରିଵହନ ବିଭାଗ ପ୍ରକାଶ କରିଛି ।