ଗରିବଙ୍କ ଚାଉଳ ଗିଳି ମାଲେମାଲ ହେଉଥିବା ରିଟେଲରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଗରିବ ଅଭାବୀ ପରିବାର କେହି କ୍ଷୁଧାରେ ନ ରୁହନ୍ତୁ, ଏହାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ମୁଣ୍ଡ ପିଛା ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଯୋଗାଇ ଦିଆ ଯାଉଛି। ମାତ୍ର ଏହି ଚାଉଳ ବଣ୍ଟନ ଦାୟିତ୍ବରେ ଥିବା ଅସାଧୁ ରିଟେଲର ଓଜନ ଦଣ୍ଡିରେ ହେରଫେର କରି ମାଲାମାଲ୍ ହେଉଥିବା ଘଟଣା ଏଵେ ସାମ୍ନାକୁ ଆସିଛି। ଖୋଲିଛି ରିଟେଲର ଓ ତାଙ୍କ ସମ୍ପର୍କୀୟଙ୍କ କଳା କାରନାମା। ଓଜନ କରାଯାଉଥିବା କମ୍ପୁଟର ମାପ କଣ୍ଟାକୁ ଟେମ୍ପରିଙ୍ଗ୍ କରି ବର୍ଷ ବର୍ଷ ଧରି ଖାଉଟିମାନଙ୍କୁ ଶୋଷଣ କରାଯାଇ ଆସୁଥିଲା। ଏମିତି ଏକ ଚଞ୍ଚକତା ପଦାକୁ ଆସିଛି ଭଦ୍ରକ ଜିଲ୍ଲାରେ। ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ରିଟେଲରଙ୍କ ଭାଇ ତଥା ପୂର୍ବତନ ରିଟେଲର ବିଶ୍ବଜିତ ମହାନ୍ତିଙ୍କ ବିରୋଧରେ ଆସୁଛି ଏମିତି ଅଭିଯୋଗ।

ବାତ୍ୟା ଫନି ସମୟରେ ବିଶ୍ବଜିତ ରିଟେଲର ଭାବେ କାମ କରୁଥିବା ବେଳେ ପିଡିଏସ୍ କିରୋସିନି କଳାବଜାରୀ କରି ଜେଲ୍ ଯାଇଥିଲେ ଓ ଯୋଗାଣ ବିଭାଗ ପକ୍ଷରୁ ତାଙ୍କୁ ଦାୟିତ୍ବରୁ ହଟାଯାଇଥିଲା। ମାତ୍ର ବିଶ୍ବଜିତ ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ନେତା ଥିବାରୁ ରାଜନୈତିକ ପ୍ରଭାବ ବିସ୍ତାର କରି ନିଜ ସାନଭାଇ ରାକେଶ କୁମାର ମହାନ୍ତିଙ୍କ ନାମରେ ରିଟେଲରସିପ ଆଣି ନିଜେ ପୂର୍ବ ପରି ବୁଝାବୁଝି କରିଆସୁଛନ୍ତି ଓ ଖାଉଟିଙ୍କ ଚାଉଳ ହଡ଼ପ କରୁଛନ୍ତି କମ୍ପୁଟର କଣ୍ଟାକୁ ଟେମ୍ପରିଂ କରି ମୁଣ୍ଡ ପିଛା ୩୦୦-୪୦୦ ଗ୍ରାମ ଗିଳି ଦେଇଆସୁଛନ୍ତି। ହେଲେ ଏବେ ସମୟ ବଦଳିଛି। ବିଜେଡି ଶାସନ କାଳରେ ଖାଉଟି ରିଟେଲରଙ୍କ ବିରୋଧରେ ଦେଉନଥିଲେ ଅଭିଯୋଗ। ରିଟେଲରଙ୍କ ସବୁ ଚଞ୍ଚକତାକୁ ସହିବାକୁ ବାଧ୍ୟ ହେଉଥିଲେ। ଏବେ ସରକାର ବଦଳିଛି। କ୍ଷମତାରେ ବିଜେପି ଆସିଛି। ତେଣୁ ବର୍ଷ ବର୍ଷ ଧରି ଠକାମିର ଶିକାର ହୋଇଥିବା ଖାଉଟି ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଫଳରେ ପୌରପାଳିକା ଅଧୀନରେ ହୋଇଥିବା ଚଞ୍ଚକତା ସାମ୍ନାକୁ ଆସିଛି। ଜଣାପଡିଛି କି, ୧୩,୧୪, ଓ ୧୫ ନମ୍ବର ୱାର୍ଡର ପ୍ରାୟ ୫୦୦ କାର୍ଡଧାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଶୁକଦେବପୁର ଆଛାଦ୍ କବ୍ଲ ନିକଟରେ ବିଶ୍ବଜିତ ମହାନ୍ତି ଚାଉଳ ବଣ୍ଟନ କରୁଥିବା ବେଳେ ରଙ୍ଗେହାତ ଧରିଥନ୍ତି ଖାଉଠି। ଓଜନ ସରିଥିବା ଚାଉଳର ପୁନଃ ଓଜନ କରି ପ୍ରତି ବ୍ୟାଗରେ ୩୦୦-୪୦୦ ଗ୍ରାମର ଚାଉଳ କମ ଥିବା ଦେଖାଇଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଏହା ଦେଖି ବିଶ୍ବଜିତ ମହାନ୍ତି ଗୋଦାମରେ ତାଲା ପକାଇ ସେଠାରୁ ଚାଲିଯାଇଥିଲେ। ହେଲେ ଲୋକଙ୍କ ତାତି ଓ ନୂଆ ସରକାରର ନାଲି ଆଖିରେ ଖବର ପାଇ ଯୋଗାଣ ଅଧିକାରୀ ହିମାଂଶୁ ଦାସ ଘଟଣା ସ୍ଥଳରେ ପହଞ୍ଚି ମାପ କଣ୍ଟା ଜବତ କରି ବାସୁଦେବପୁର ରୋଡ୍ର ସ୍ଥିତ ଓଜନ ଓ ମାପ କାର୍ଯ୍ୟାଳୟକୁ ଆଣିବାକୁ ବିଶ୍ବଜିତ ମହାନ୍ତିଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ଅଧିକାରୀଙ୍କ ନିର୍ଦ୍ଦେଶ ନ ମାନି ରିଟେଲର ଅଟା କଳ ପାଖରେ ଥିବା ତାରିଣୀ ଇଲେକ୍ଟ୍ରୋକାଲ୍ସ ଦୋକାନକୁ ନେଇ ଟେମ୍ପରିଙ୍ଗ୍ ସଜାଡୁ ଥିବାବେଳେ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଯୋଗାଣ ବିଭାଗକୁ ଜଣାଇଥିଲେ। ଯୋଗାଣ କର୍ମଚାରୀ ଆସି ରିଟେଲରଙ୍କ ମେସିନ ଚେକ କରି ସେଥିରେ ଟେମ୍ପରିଂ ହୋଇଥିବା ଜାଣିବାକୁ ପାଇଥିଲେ। ଏଵେ ପ୍ରଶ୍ନ, କେତେ ବର୍ଷ ଧରି ଓଜନରେ ହେଉଥିଲା ଠକେଇ? ହେଉଥିବା ଠକେଇର ଭରଣା କିଏ କରିବ? ପ୍ରକୃତ ରିଟେଲର ଓ କାମ ତଦାରଖ କରୁଥିବା ବିଶ୍ବଜିତଙ୍କ ବିରୋଧରେ କେବେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ ?

Leave a Reply

Your email address will not be published. Required fields are marked *