
ବାହାନଗା ଦୁଃଖ ନଯାଉଣୁ ପୁଣି ଆଉ ଏକ ରେଳ ଦୁର୍ଘଟଣା ଘଟିଛି । ବରଗଡ଼ ଜିଲ୍ଲା ମେଣ୍ଢାପାଲି ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଟ୍ରେନ୍ ଲାଇନଚ୍ୟୁତ ହେବାରୁ ୫ଟି ଡବା ଓଲଟି ପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି ।

ମାଲବାହୀ ଟ୍ରେନଟି ବରଗଡ଼ ଜିଲ୍ଲା ଡୁଙ୍ଗୁରୀରୁ ଚୂନପଥର ନେଇ ଏସିସି ସିମେଣ୍ଟ କାରଖାନା ଯାଉଥିଲା । ଆଜି ସକାଳେ ଯାଉଥିବା ବେଳେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ସେପଟେ ଦୁର୍ଘଟଣା ସହ ଭାରତୀୟ ରେଳ ବିଭାଗର କୌଣସି ସମ୍ପର୍କ ନାହିଁ ।
ଏଭଳି କହିଛି ପୂର୍ବତଟ ରେଳବାଇ । ମାଲବାହୀ ଟ୍ରେନଟି ଏକ ଘରୋଇ ସିମେଣ୍ଟ କମ୍ପାନୀର । ଟ୍ରେନ୍ ଚଲାଇବା ପାଇଁ ଯାହା କିଛି ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା ସିମେଣ୍ଟ କମ୍ପାନୀ କରିଛି । ସେହି କମ୍ପାନୀ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରୁଥିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨ ତାରିଖରେ ବାହାନଗାରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟି ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ସରିଛି । ପରୀକ୍ଷାମୂଳକ ଭାବେ ଟ୍ରେନ୍ ଟ୍ରାକରେ ଗଡ଼ିଛି । ଏଭଳି ସ୍ଥିତିରେ ପୁଣି ରେଳ ଦୁର୍ଘଟଣାକୁ ନେଇ ଚିନ୍ତା ବଢୁଛି ।
