
ନାଁଟି ଲକ୍ଷ୍ମୀପ୍ରିୟା, ଦେଖିବାକୁ ମଧ୍ୟ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ପରି। ତିନି ବର୍ଷ ତଳେ ଆଖିରେ ଆଖିଏ ସ୍ବପ୍ନ ନେଇ ବିବାହ କରିଥିଲେ ନୟାଗଡର ଲକ୍ଷ୍ମୀପ୍ରିୟା। ହେଲେ ବିବାହର ମାତ୍ର କେଇଟା ଦିନରେ ସ୍ବପ୍ନ ସବୁ ଆଖିର ଲୁହରେ ଧୂଆଳିଆ ହୋଇଗଲା। ଯେଉଁ ଲୋକଟିକୁ ଦେବତା ଭାବେ ଗ୍ରହଣ କରିଥିଲା ତା ମୁହଁରୁ ହଟିଗଲା ମୁଖୋଟା। ସାମ୍ନାକୁ ଆସିଲା ସ୍ବାମୀର ବିକଟାଳ ରୂପ ନିଶା ସେବନ ସହ ଅନ୍ୟ ଯୁବତୀଙ୍କ ସହ ରଖିଥିଲା ସମ୍ପର୍କ। ବିବାହର କିଛି ମାସ ପରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାକୁ ମାରଧର କରିବା ଆରମ୍ଭ କରିଦେଇଥିଲା। ଆଉ ଦିନ ଗଡିବା ସହ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ହୋଇଗଲା ଦୁଃସହ। ଖାଲି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବାରୁ ମୁଣ୍ଡପାତି ୩ ବର୍ଷ ହେଲା ସବୁ ସହୁଥିଲା। ହେଲେ ଆଉ ପାରିଲାନି। ଶେଷରେ ବୁଧବାର ଦିନ ମଞ୍ଚେଶ୍ବର ଥାନା ଅଧୀନ ତାଙ୍କ ଭଡା ଘରୁ ମିଳିଥିଲା ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ। ଝିଅର ଏପରି ସନ୍ଦେହଜନକ ମୃତ୍ୟୁ ପରେ ବାପା ଭାଇ ଆଣିଛନ୍ତି ହତ୍ୟା ଅଭିଯୋଗ। ଏକ ଗଣମାଧ୍ୟମରେ କାମ କରୁଥିବା ତାଙ୍କ ଜ୍ବାଇଁ ସରୋଜ ବିଶ୍ବାଳ ଝିଅକୁ ମାରଧର କରିଆସୁଥିଲା। ତାର ବହୁ କୁଅଭ୍ୟାସ ଥିଲା ଓ ଶେଷରେ ଝିଅକୁ ମାରିଦେଇଥିବା ଥାନାରେ କରିଛନ୍ତି ଅଭିଯୋଗ। ତୁରନ୍ତ ହତ୍ୟାକାରୀ ଜ୍ବାଇଁକୁ ଗିରଫ କରିବାକୁ କରୁଛନ୍ତି ଦାବି
ଅନ୍ୟପଟେ ପୋଲିସ ମୃତଦେହର ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଦେଇଛି। ଏହି ଘଟଣାରେ ତଦନ୍ତ ଚଳାଇଛି। ସରୋଜକୁ ମଧ୍ୟ ଥାନାରେ ଅଟକ ରଖି ପଚରା ଉଚରା କରୁଛି।