
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଶିଆ ଅଞ୍ଚଳରେ ଅଘଟଣ । ବିରୁଡ଼ି ଆକ୍ରମଣରେ ଜଣେ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତକ ଜଣକ ହେଉଛନ୍ତି କାଶିଆ ଅଞ୍ଚଳର ଯୋଗେନ୍ଦ୍ର ଲାଗୁରୀଙ୍କ ଝିଅ ନାନିକା ।
ଏହି ଘଟଣାରେ ଗୁରୁତର ହୋଇଥିବା ଦୁଇ ଜଣ ହେଲେ ସୁଜତା ମୁଣ୍ଡା ଓ ଲଷ୍ମୀ ମୁଣ୍ଡା । ସୂଚନା ମୁତାବକ, ବୁଧୁବାର ଦିନ ତିନି ଜଣ ଧାନ ବିଲକୁ ଚାଷ କାର୍ଯ୍ୟ ପାଇଁ ଯାଇଥିଲେ । ସେଠାରେ ପ୍ରାୟ ସକାଳ ୧୦.୩୦ ମିନିଟ ସମୟରେ ସେମାନଙ୍କୁ ଜଙ୍ଗଲରେ ବିରୁଡ଼ି ଆକ୍ରମଣ କରିଥିଲା ।
ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଚିକିତ୍ସିତ ନାନିକାର ମୃତ୍ୟୁ ହୋଇଥିଲା ।