‘୪୧ ​ଶହଙ୍କୁ ସଂପୂର୍ଣ୍ଣ ମାଗଣାରେ ପଶ୍ଚିମବଙ୍ଗ ପଠାଯାଇଛି’

ବାଲେଶ୍ବର ବାହନଗା ଟ୍ରେନ୍ ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୪୧ ​ଶହ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ପଶ୍ଚିମବଙ୍ଗ ପଠାଯାଇଛି। କଟକ, ପୁରୀ ଓ ଭୁବନେଶ୍ବରରୁ ୧୦୫ଟି ବସ୍‌ରେ ଗଲା ୩ ଦିନ ଭିତରେ ୪୧୦୦ ଯାତ୍ରୀଙ୍କୁ ମାଗଣାରେ ପଠାଇବା ବ୍ୟବସ୍ଥା କରି ପାରିଛି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ। ଓଡ଼ିଶା ଭିତରେ ବି ୧୨୬ଟି ବସରେ କଟକ, ପୁରୀ ଓ ଭୁବନେଶ୍ବରରେ ଅଟକିଥିବା ୭ ହଜାର ଯାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚା ଯାଇଥିଲା। ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପରେ ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନରେ ହେଲପ୍ ଡେସ୍କ୍‌ ଖୋଲିବା ପାଇଁ ବିଭାଗ ପକ୍ଷରୁ ପୁରୀ, କଟକ, ଭୁବନେଶ୍ବର ଆରଟିଓଙ୍କ ଜରିଆରେ ପାଣ୍ଠିର ବ୍ୟବସ୍ଥା କରାଯାଇଥିଲା।


ଦୁର୍ଘଟଣା ଦିନ ଓ ପରେ ମୃତକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ୮୪ଟି ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯାଇଥିଲା। ଏବେ ବି ୧୮ଟି ଆମ୍ବୁଲାନ୍‌ସ ଏଥିପାଇଁ ସଂରକ୍ଷିତ ରଖାଯାଇଛି। ମୃତ ଶରୀର ଓ ସେମାନଙ୍କ ସଂପର୍କୀୟଙ୍କୁ ନେବା ପାଇଁ ଏହି ଆମ୍ବୁଲାନସ୍‌ ବ୍ୟବହାର କରାଯାଉଛି। ସେଥିରୁ ୪ଟି ଆମ୍ବୁଲାନ୍‌ସ ଓଡ଼ିଶାର ବିଭିନ୍ନ ସ୍ଥାନକୁ, ୩୫ଟି ବିହାର ଓ ୪୩ଟି ପଶ୍ଚିମବଙ୍ଗ ପଠାଯାଇଛି। ଦୁର୍ଘଟଣାସ୍ଥଳରୁ ୪୭ ଛୋଟ ପିଲାଙ୍କୁ ଉଦ୍ଧାର କରି ବିହାର ବାଗଲପୁରକୁ ଏକ ସ୍ବତନ୍ତ୍ର ବସ୍‌ରେ ନିଆଯାଇଥିଲା। କଟକରୁ ୨୨ଟି ବସ୍‌ରେ ୧୦୭୦ ଯାତ୍ରୀ, ପୁରୀରୁ ୪୭ଟି ବସ୍‌ରେ ୨୦୩୦ ଯାତ୍ରୀ ଓ ଭୁବନେଶ୍ବରରୁ ୩୬ଟି ବସ୍‌ରେ ୧୬୬୫ ଯାତ୍ରୀଙ୍କୁ କଲିକତା ନିଆଯାଇଥିଲା।
ଭୁବନେଶ୍ବର ରେଳଷ୍ଟେସନ୍‌ରୁ ୨୧ଟି ବସ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ୧୦୫୦ ଯାତ୍ରୀ, କଟକ ରେଳଷ୍ଟେସନ୍‌ରୁ ୧୦୫ଟି ବସ୍‌ରେ ୫୩୪୪ ଯାତ୍ରୀଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ନିଆଯାଇଥିଲା। ୧୦୫ଟି ବସ୍‌ରେ୩ ଦିନ ଭିତରେ ୪୧୦୦ ଯାତ୍ରୀଙ୍କୁ ମାଗଣା ପଠାଇବା ବ୍ୟବସ୍ଥା କରିଛି ରାଜ୍ୟ ସରକାର ବୋଲି ସୂଚନା ଦିଆ ଯାଇଛି।

Leave a Reply

Your email address will not be published. Required fields are marked *