
ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରଥ ଯାତ୍ରାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ପ୍ରସ୍ତୁତି ଚାଲିଛି । ପ୍ରଶାସନ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଦେବତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ରଥଯାତ୍ରା ସମନ୍ୱୟ କମିଟିର ଏକ ବୈଠକ ହୋଇଯାଇଛି । ଏଥିରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ ।
ରାଇରଙ୍ଗପୁର ଦେବୋତ୍ତର ବିଭାଗ ତତ୍ତ୍ବାବଧାନରେ ଚଳିତ ବର୍ଷ ରଥଯାତ୍ରା ପାଳନ ସମ୍ପର୍କିତ ପ୍ରସ୍ତୁତ କାର୍ଯ୍ୟସୂଚୀର ବିଶଦ ବିବରଣୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥାପନ କରିଥିଲେ । ରଥ ଟଣା ପାଇଁ ଆବଶ୍ୟକ ପଡୁଥିବା ଦଉଡି ଯୋଗାଇ ଦେବା ପାଇଁ ଟାଟା ପାୱାର କତୃପକ୍ଷ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଇରଙ୍ଗପୁରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡୁଥିବା ଫୁଲ ଏବଂ ଫୁଲ ମାଳ ଯୋଗାଇ ଦେବା ନିମନ୍ତେ ରାଇରଙ୍ଗପୁର ଉଦ୍ୟାନ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରଥଯାତ୍ରା ସମୟରେ ରଥଦାଣ୍ଡ ଏବଂ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୂତୟନ ଓ ଟ୍ରାଫିକ ନିୟନ୍ତ୍ରଣ, ରଥ ଟଣା ସମୟରେ ଏନସିସି, ଏନଏସଏସ, ୟୁଥ ରେଡକ୍ରସ ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନର ଯୁବ ସ୍ବେଛାସେବୀଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ହୋଟେଲ, ଅସ୍ଥାୟୀ ଜଳଖିଆ ଦୋକାନ ଗୁଡିକରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥର ମାନ, ଗୁଣବତ୍ତାକୁ ସ୍ୱାସ୍ଥ୍ୟ ବିଭାଗ ଓ ରାଇରଙ୍ଗପୁର ପୌରପାଳିକାଙ୍କ ମିଳିତ ତତ୍ତ୍ବାବଧାନରେ ନିୟମିତ ଯାଞ୍ଚ ଓ ତଦାରଖ କରାଯିବା । ପରମ୍ପରା ଅନୁଯାୟୀ ରଥ ଟଣା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସ ଗୁଡ଼ିରେ କେବଳ ମହିଳା ମାନଙ୍କ ଦ୍ୱାରା ରଥ ଟଣାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଇନର କର୍ଡନରେ ଆବଶ୍ୟକ ସଂଖ୍ୟକ ମହିଳା ପୋଲିସ କର୍ମଚାରୀ ନିୟୋଜିତ କରାଯାଇ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭାଗୀୟ ଅଧିକାରୀ ତଥା ଦେବୋତ୍ତର ବିଭାଗର ସେବାୟତ ମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି ।