
ହଠାତ୍ ପାତାଳ ଗଙ୍ଗା ଅଞ୍ଚଳର ଆକାଶ ଧୂଳି ଧୁଆଁରେ ଭରିଗଲା। ଯାତାୟାତ ଠପ ହୋଇଗଲା। ଲୋକଙ୍କ ମଧ୍ୟରେ ଦେଖାଦେଲା ଭୟ। ପ୍ରକୃତିର କୋପ ଦେଖିଲା ଉତ୍ତରାଖଣ୍ଡ। ପାହାଡ ଉପରୁ ବିରାଟକାୟ ଅଂଶ ଖସିପଡିଲା ତଳକୁ, ଯାହାର ଦୃଶ୍ୟ ଲୋମଟାଙ୍କୁରା ଥିଲା। ପର୍ବତମାଳିନୀ ଉତ୍ତରଖଣ୍ଡ ରାଜ୍ୟରୁ ଆସିଛି ଏମିତି ଏକ ଦୃଶ୍ୟ। ଚମୋଲି ଜିଲ୍ଲା ପାତାଳ ଗଙ୍ଗା ବଦ୍ରୀନାଥ ନାସନାଲ ହାଇୱେରେ ଥିବା ସୁଡଙ୍ଗ ଉପରେ ଏହି ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଫଳରେ ଏହି ଅଞ୍ଚଳର ଏକ ବଡ ଅଂଶରେ ଧୂଳି, ଧୂଆଁର ଲହଡି ଭାଙ୍ଗିଥିଲା।
ଏହି ଭୂସ୍ଖଳନ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି। ତେବେ, ଏତିକି ସୌଭାଗ୍ୟ କି, ଏଥିରେ କେହି ମୃତାହତ ହୋଇ ନାହାନ୍ତି। ହେଲେ ଭୂସ୍ଖଳନ ପାଇଁ ଜୋଶୀମଠ- ବଦ୍ରୀନାଥ ହାଇୱେକୁ ବନ୍ଦ କରିଛି ପ୍ରଶାସନ। ମୌସୁମୀ ଆସିବା ପରେ ଉତ୍ତରାଖଣ୍ଡରେ ଭାରି ବର୍ଷା ହେଉଛି। ଏହାର ପ୍ରଭାବରେ ଅନେକ ପାହାଡ ଉପରେ ପଥରଖଣ୍ଡ ସବୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ କେଉଁ ପାହାଡରୁ ଭୂସ୍ଖଳନ ହେବ ତାହା କହିହେଉନାହିଁ। ସେପଟେ ବର୍ଷା ପାଇଁ ନଦୀରେ ସବୁ ବର୍ଷା ଜଳର ସୁଅ ଛୁଟୁଛି। ତେଣୁ ସରକାର ଆଲର୍ଟ ମୋଡରେ ରହିଛି। ତେବେ ମୌସୁମୀ କାଳରେ ଉତ୍ତରାଖଣ୍ଡରେ ପାହାଡରୁ ସ୍ଖଳନ, ନଦୀରେ ବନ୍ୟାଜଳ ପ୍ରବାହ ଏକ ସାଧାରଣ ଘଟଣା।