ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ

ମେଡିକାଲ ଆଇସିୟୁ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା | ଚିକିତ୍ସାଧୀନ ଥିବା ଜଣେ ମହିଳା ରୋଗୀ ଆଇସିୟୁ ବେଡ୍‌ରୁ ବାଡ଼ା ଭାଙ୍ଗି ତଳକୁ ଖସିପଡ଼ୁଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଗୁରୁତର ଅବସ୍ଥାରେ ଥିବା ମହିଳା ରୋଗୀ ବେଡ୍‌ରୁ ଖସିପଡ଼ୁଥିବା ବେଳେ ସେଠାରେ କୌଣସି ସ୍ୱତନ୍ତ୍ର ସୁବିଧା ନାହିଁ । ଏହା ଆଇସିୟୁ ଭିତରେ ରୋଗୀମାନଙ୍କ ପ୍ରତି ହେଉଥିବା ଅବହେଳାର ନଗ୍ନ ଚିତ୍ର ବୋଲି ଅଭିଯୋଗ ହେଉଛି।

ଚିନ୍ତାଜନକ କଥା ହେଉଛି, ମହିଳା ରୋଗୀ ଖସିପଡ଼ୁଥିବା ସମୟରେ କେହି ଜଣେ ଏହି ଘଟଣାକୁ ମୋବାଇଲ ଫୋନ୍‌ରେ ରେକଡିଂ କରି ଭିଡିଓଟି କୁ ସୋସିଆଲ ମିଡିଆରେ ଚଡି ଦେଇଛନ୍ତି | ତେବେ ଏହି ଘଟଣା କେଉଁ ମେଡିକାଲର ଓ କେବେକାର, ସେଥିପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଭିତର ଦୃଶ୍ୟ ଓ ପରିବେଶକୁ ଆଧାର କରି ଏହା ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ମେଡିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁ ହେବାର ସନ୍ଦେହ କରାଯାଉଛି। ତେବେ ଏହି ଘଟଣା ସମ୍ପର୍କରେ ଯାଞ୍ଚ ଚାଲିଛି ବୋଲି ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଏହି ଭିଡିଓ ଭାଇରାଲ ପରେ ରୋଗୀ ସୁରକ୍ଷା, ଆଇସିୟୁ ପରିଚାଳନା ଓ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।