
ପାନୀୟ ଜଳ ପ୍ରକଳ୍ପକୁ ନେଇ ଅସନ୍ତୋଷ, ଉତ୍ତେଜନାରେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଶ୍ରଦ୍ଧାପୁର କନ୍ୟାନଗରୀ ଗାଁରେ ଚାଲୁଥିବା ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ ହେଉଥିବା ପାଣି ଟାଙ୍କି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ତିଆରି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ନିର୍ମାଣ କାର୍ଯ୍ୟରେ ମାନକୁ ଅନୁସରଣ କରାଯାଉନାହିଁ ଏବଂ ଟାଙ୍କିର ଗୁଣବତ୍ତା ନେଇ ଭବିଷ୍ୟତରେ ବିପଦ ସୃଷ୍ଟି ହୋଇପାରେ। ଏହାକୁ ନେଇ ଗ୍ରାମବାସୀ ଓ ଠିକାଦାର ସଂସ୍ଥା ମଧ୍ୟରେ ତୀବ୍ର ବାଦବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାର ତଦନ୍ତ କରି ନିମ୍ନମାନର କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଯଦି ଏଭଳି ଅନିୟମିତତା ଚାଲିଥାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଗ୍ରାମବାସୀ ସଚେତନ କରିଛନ୍ତି।