ଦିନକ ପାଇଁ ବସ୍ କଣ୍ଡକ୍ଟର ସାଜିବେ ସିଦ୍ଧରମୈୟା, ମହିଳାଙ୍କୁ ଦେବେ ମାଗଣା ଟିକେଟ୍

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ପରେ ଏବେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଅଣ୍ଟା ଭିଡ଼ିଛି । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟାଏ ପୂରଣ କରିବ କଂଗ୍ରେସ । ସେଥିପାଇଁ ଆଜିଠାରୁ ରାଜ୍ୟରେ ମହିଳାଙ୍କୁ ମିଳିବ ମାଗଣା ଟିକେଟ୍ ।

ଆଜି ଗୋଟିଏ ଦିନ ପାଇଁ ବସ୍ କଣ୍ଡକ୍ଟର ବନିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଆଜି ଦିନକ ପାଇଁ କଣ୍ଡକ୍ଟର ସାଜି ଯାତ୍ରୀଙ୍କ ଟିକେଟ୍ କାଟିବେ । ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଶକ୍ତି ଯୋଜନାର ଶୁଭାରମ୍ଭ କରିବେ ସିଏମ୍ । ସରକାରୀ ବସରେ ମହିଳାମାନଙ୍କୁ ମାଗଣା ଯାତ୍ରା ଲାଗି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଆଉ ସେହି ପ୍ରତିଶ୍ରୁତି ଅନୁସାରେ ସିଦ୍ଧରମୈୟା ବସ୍ ଭିତରେ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ୍ ଦେବେ । କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାକୁ କହିଛି ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଙ୍ଗାଳୁରୁ ମେଟ୍ରୋ ପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ବା ବିଏମଟିସି ବସରେ ଯାତ୍ରା କରିବେ । ସେଥିରେ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ ପ୍ରଦାନ କରିବେ ବୋଲି କହିଛନ୍ତି । ନିଜନିଜ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଯୋଜନାର ଶୁଭାରମ୍ଭ କରିବେ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ମହିଳାଙ୍କୁ ଏହି ସୁବିଧା ମିଳିପାରିବ ।

ଗତ ନିର୍ବାଚନରେ କଂଗ୍ରେସ ୫ଟି ଗ୍ୟାରେଣ୍ଟି ଦେଇଥିଲା । ସେଗୁଡ଼ିକ ମଧ୍ୟରେ ମାଗଣା ରହିଛି ଗୃହଜ୍ୟୋତି ଯୋଜନା, ଗୃହଲକ୍ଷ୍ମୀ ଯୋଜନା, ବିପିଏଲ ପରିବାରକୁ ମାସିକ ମାଗଣା ୧୦ କେଜି ଚାଉଳ ସଂକ୍ରାନ୍ତ ଅନ୍ନ ଭାଗ୍ୟ ଯୋଜନା, ମହିଳାଙ୍କୁ ମାଗଣା ବସସେବା ଏବଂ ଡିଗ୍ରୀଧାରୀ ବେକାରୀଙ୍କ ଲାଗି ୨୪ ମାସ ଯାଏ ମାସିକ ୩ ହଜାର ଲେଖାଏଁ ଭତ୍ତା ପ୍ରଦାନ ସଂକ୍ରାନ୍ତ ଯୁବନିଧି ଯୋଜନା । ଆସନ୍ତା ଜୁଲାଇ ପହିଲାରେ ଅନ୍ନଭାଗ୍ୟ ଯୋଜନା ଏବଂ ଅଗଷ୍ଟ ୧୫ରୁ ଗୃହଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *