ଏତେ ବଡ ଦୁର୍ଘଟଣା ପରେ କେମିତି ଅଛନ୍ତି କରମଣ୍ଡଳ ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର ?

କରମଣ୍ଡଳ ଏକ୍ସପ୍ରେସର ଏତେବଡ ଦୁର୍ଘଟଣା ପରେ ଏବେ ଖୋଜାପଡୁଛନ୍ତି ଡ୍ରାଇଭର । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଟ୍ରେନକୁ ଯେଉଁ ଡ୍ରାଇଭର ଚଲାଉଥିଲେ ସେ ଏବେ କେମିତି ଅଛନ୍ତି । ତାଙ୍କର କେତେ କ୍ଷତି ହୋଇଛି । କାରଣ ସେ ଛାତି ଥରା ଦୃଶ୍ୟ ଲୋକଙ୍କ ମନକୁ ପ୍ରତି ମୁହୂର୍ତ୍ତରେ ଆନ୍ଦୋଳିତ କରୁଛି, ଯେଉଁଥିରେ କରମଣ୍ଡଳର ଇଞ୍ଜିନ ମାଲ ଗାଡିର ବଗି ଉପରେ ଚଢିଯାଇଥିଲା । କେବଳ ଇଞ୍ଜିନକୁ ହଁ ଦେଖିଲେ ଅନୁମାନ କରିହୁଏ ଯେ, କେତେ ଭୟାନକ ଥିଲା ଏହି ଦୁର୍ଘଟଣା । ଏତେ ଜୋର ହିଟ୍ କରିବା ପରେ ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଘଟିଛି । ଏପରି ସ୍ଥିତିରେ ଲୋକୋ ପାଇଲଟ ବା ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର କେମିତି ଥିବେ ତାହାକୁ ନେଇ ସବୁଠି ଆଲୋଚନା ।

କରମଣ୍ଡଳ ଏକ୍ସପ୍ରେସର ବେଗ ଥିଲା ପାଖାପାଖି ୧୩୦ କିଲୋମିଟର । ଲୁପ୍ ଲାଇନରେ ଠିଆ ହୋଇଥିଲା ମାଲବାହୀ ଟ୍ରେନ୍ । ଟ୍ରାକ ପରିବର୍ତ୍ତନ କରି ବହୁତ ବଡ ଭୁଲ କରିବସିଥିଲା କରମଣ୍ଡଳ । ଠିଆ ହୋଇଥିବା ମାଲ ଗାଡିକୁ ଏତେ ଜୋରରେ ହିଟ୍ କରିଥିଲା ଯେ, ସାରା ବିଶ୍ବ ସ୍ତବ୍ଧ ହୋଇଯାଥିଲା । ଧକ୍କା ଏତେ ଜୋର ହୋଇଥିଲା ଟ୍ରେନର ବଗି ଗୁଡିକ ଛିନଭିନ ହୋଇଯାଇଥିଲା । ଅନେକ ଲୋକ ଅତି ଦୟନୀୟ ଭାବେ ଜୀବନ ହାରିଲେ ।

ହେଲେ କଥାରେ ଅଛି ଯାହାକୁ ରଖେ ଅନନ୍ତ କି କରିପାରେ ବଳବନ୍ତ । ସବୁଠୁ ଡେଞ୍ଜର ଏରିଆରେ ଥିବା କରମଣ୍ଡଳ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କର ସେପରି ବିଶେଷ କିଛି କ୍ଷତି ହୋଇନାହିଁ । ଗୁଣନିଧିଙ୍କ ଘର କଟକ ଜିଲ୍ଲା ୪୨ ମୌଜାରେ ହୋଇଥିବା ବେଳେ ତାଙ୍କ ବାପା ହେଉଛନ୍ତି ବିଷ୍ଣୁଚରଣ ମହାନ୍ତି । ଏବେ ଗୁଣନିଧିଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ ଭୁବନେଶ୍ବର ଆମ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଗୁଣନିଧିଙ୍କ ଆସିଷ୍ଟାଣ୍ଟ ଡ୍ରାଇଭର ହଜାରି ବେହେରା ମଧ୍ୟ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ଜଟିଳ ରହିଛି । ସେମାନଙ୍କ ଆସୁ ଆରୋଗ୍ୟ ପାଇଁ ସାରା ଓଡିଶାବାସୀ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *