
ବାଲେଶ୍ୱର ବାହାନଗୀ ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର ଏବଂ ଚିକିତ୍ସା କ୍ଷେତ୍ରରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି ।
ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ବିଶ୍ୱନେତାଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ ଓ ଅଭିନେତା ଶୋକ ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି । ୟୁରୋପିଆନ ୟୁନିଅନ୍ ଅଧ୍ୟକ୍ଷ ଚାର୍ଲସ ମିସେଲ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
ସେପଟେ ଅଭିନେତା ସଲମାନ ଖାନ୍,ବିବେକ ଅଗ୍ନିହୋତ୍ରୀ, ଜୁନିଅର ଏନଟିଆର, କ୍ରୀଡ଼ାବିତ୍ ବିରାଟ କୋହଲି ମଧ୍ୟ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।