ପ୍ରବଳ ଖରାକୁ ଖାତିର ନକରି ତତଲା ପିଚୁରେ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି ପୁରୀ ଆସୁଛନ୍ତି ଜଣେ ଭକ୍ତ, ଆଜି ସେ ବୌଦ୍ଧରେ ଯାତ୍ରା କରୁଛନ୍ତି

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଲେ ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ୪୩ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଘରୁ ବାହାରକୁ ବାହାରିବ ମୁସ୍କିଲ ହୋଇପଡିଥିବା ବେଳେ କଳା ଚିକଚିକ ପିଚୁ ରାସ୍ତାରେ ବିନା ଚପଲରେ ପାଦ ଥୋଇବା ମୁସ୍କିଲ ବେପାର । ଏପରି ସ୍ଥିତିପେ ଜଗା ଡୋରିରେ ବନ୍ଧା ଜଣେ ଭକ୍ତ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ରାଜସ୍ଥାନରୁ ପୁରୀକୁ ଦଣ୍ଡବତ ହୋଇ ଯାଉଛନ୍ତି ଜଣେ ଭକ୍ତ ।

କଳିଯୁଗରେ ମଧ୍ୟ ଦେଖିବାକୁ ମିଳିଛି ଦାସିଆ ବାଉରୀଙ୍କ ଭଳି ଜଣେ ଭକ୍ତ । ରାଜସ୍ଥାନରୁ ପୁରୀ ଅଭିମୁଖେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦଣ୍ଡ ପ୍ରଣାମ କରି ଆସିଥିବା ଭକ୍ତ ବୌଦ୍ଧ ଜିଲ୍ଲାକୁ ଅତିକ୍ରମ କରିଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣି, ବୌଦ୍ଧ ସହର, ପୁରୁଣାକଟକ, ଚାରିଛକ, ଆଡେଣିଗଡ଼ ଦେଇ ପ୍ରାୟ ୧୩୦ କି.ମି ବାଟ ଦଣ୍ଡ ପ୍ରଣାମ କରି ଅତିକ୍ରମ କରିଛନ୍ତି । ଏଥିପାଇଁ ଲାଗିଛି ତାଙ୍କୁ ୧୫ ଦିନ । ବୌଦ୍ଧ ଜିଲ୍ଲାରେ ପ୍ରବେଶ କରିବା ପରେ ଏଭଳି ଜଣେ ଭକ୍ତଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଛନ୍ତି ଲୋକେ । କାଳିଆ ଦର୍ଶନ କରିବାକୁ ଭକ୍ତ ମାନେ ଏତେ ବ୍ୟାକୁଳ ଯେ, ଧୁ..ଧୁ ଖରାକୁ ମଧ୍ୟ ଖାତିର ନାହିଁ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ । ଏଇକଥା ପ୍ରଚାର ହେବା ପରେ ତାଙ୍କୁ ଦେଖିବାକୁ ରାସ୍ତାରେ ଜମୁଛି ଭିଡ ।

ରାଜସ୍ତାନରୁ ଜଗନ୍ନାଥ ଧାମ ପୁରୀ, ସିଏ ପୁଣି ଦଣ୍ଡପ୍ରଣାମ କରି କରି । ମାସେ କି ୨ ମାସ ନୁହେଁ ବରଂ ଗତ ବର୍ଷରୁ ନିଜ ଘରୁ ଜଗାକୁ ଦର୍ଶନ କରିବାକୁ ବାହାରିଥିଲେ ବିଜୟ । ଇଚ୍ଛା ଥିଲା ଗାଡି କି ଟ୍ରେନ୍‌ରେ ନୁହେଁ ବରଂ ରାସ୍ତାରେ ଦଣ୍ଡ ପ୍ରଣାମ କରିକରି ଚକାନୟନର ଦର୍ଶନ କରିବେ । ସେଇଥି ପାଇଁ ତ ନିଜ ଇଚ୍ଛାକୁ ପୂରଣ କରିବା ଲାଗି ଏମିତି ପ୍ରଣାମ କରି କରି ଶ୍ରୀକ୍ଷେତ୍ର ଯାଉଛନ୍ତି ବିଜୟ । ବିଜୟଙ୍କ କହିବା ଅନୁସାରେ, ଜଗା ଦର୍ଶନ ଲାଗି ଗତ ବର୍ଷ ଅର୍ଥାତ୍‌ ଡିସେମ୍ବର ମାସରୁ ସେ ଘରୁ ବାହାରିଛନ୍ତି । ଜଗା ଦର୍ଶନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ, ଘରୁ ବାହାରିବା ଦିନ ଠାରୁ ଆଜଯାଏଁ ସେ ଥକି ନାହାନ୍ତି କି କୌଣସି ସ୍ଥାନରେ ଅଟକିଯାଇ ନାହାନ୍ତି । ବିଜୟଙ୍କ ଗାଁ ଠାରୁ ଶ୍ରୀକ୍ଷେତ୍ରର ଦୂରତା ପ୍ରାୟ ୧୫୧୨ କିଲୋମିଟର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨୫୦ କିଲୋମିଟର ଯାତ୍ରା କରି ବୌଦ୍ଧ ଜିଲ୍ଲା ଅତିକ୍ରମ କରିଛନ୍ତି ବିଜୟ । ଆଉ ମାତ୍ର ୨୬୨ କିଲୋମିଟର ଯାତ୍ରା ରହିଛି । ତେଣୁ, ରଥଯାତ୍ରା ବେଳକୁ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ଆଶା ନେଇ ଆଗକୁ ବଢୁଛନ୍ତି ବିଜୟ । କଥାରେ ଅଛି ଭାବ ଯାହାର ଅଛି ସିଏ ଜଗାକୁ ପାଇଛି । ତେଣୁ, ନିଜ ମନରେ ଥିବା ଭକ୍ତି ପାଇଁ ଆଜି ମାଇଲ ମାଇଲ୍‌ ବାଟ ଏମିତି ରାସ୍ତାରେ ଦଣ୍ଡ ପ୍ରଣାମ କରି ଯାଉଛନ୍ତି ବିଜୟ । ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଦେଖି ଅନେକ ଭକ୍ତ ମଧ୍ୟ ଗାଡି ଅଟକାଇ ଦେଉଛନ୍ତି । କେମିତି ଭଲରେ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ସେନେଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

Leave a Reply

Your email address will not be published. Required fields are marked *