କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆତଙ୍କ । ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁରେ ଜଣଙ୍କୁ ଦଳିଦେଇଛି ଦନ୍ତା । ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଲୋକେ ଭୟଭୀତ ହୋଇଛନ୍ତି ।

ହାତୀ ଆତଙ୍କ ଥମିବାର ନାଁ ନେଉନି । କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ନଷ୍ଟ କରୁଛି ଫସଲ । ଲୋକଙ୍କୁ ଦଳୁଛି ତ ଆଉ କେଉଁଠି ଗୁରୁତର କରୁଛି । ଏଭଳି ଦୈନନ୍ଦିନ କିଛି ନା ଘଟଣା ଘଟାଉଛି ଦନ୍ତା । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଏମିତି ଏକ ଘଟଣାକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି । ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ହାତୀ ଆକ୍ରମଣରେ ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଦ୍ରୌପଦୀ ନାୟକ । ସେ ଆକୁଳ ପଞ୍ଚାୟତ ୧୦ନଂ ୱାର୍ଡର ୱାର୍ଡମେମ୍ବର ।

ସୂଚନା ଅନୁସାରେ ଗତକାଲି ରାତିରେ ଝଡ଼ତୋଫାନ ହୋଇଥିଲା । ତେଣୁ ଆଜି ଭୋରୁ ଘର ନିକଟରେ ଥିବା ଆମ୍ବ ତୋଟାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ମହିଳା ୱାର୍ଡମେମ୍ବର । ତାଙ୍କୁ ଶୁଣ୍ଢରେ ଆକ୍ରମଣ କରି ଫୋପାଡ଼ି ଦେଇଥିଲା ହାତୀ । ମହିଳାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ୱାର୍ଡମେମ୍ବରଙ୍କ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଦେଇଛି ବନ ବିଭାଗ । ସେପଟେ, ବନବିହାରୀପୁର ଅଞ୍ଚଳରେ ଏକ ହାତୀପଲ ବୁଲୁଛି । ସେଥିରେ ୧୫ଟି ହାତୀ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *