
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ମହିଳା ଜମାକାରୀଙ୍କ ଆନ୍ଦୋଳନ । କଣ୍ଟିଆପଡ଼ା ପୋଷ୍ଟ ଅଫିସ ଘେରିଲେ ଶତାଧିକ ମହିଳା । ୩୦୦ରୁ ଅଧିକ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।
ପୋଷ୍ଟ ମାଷ୍ଟର ଭୈରବ ଚନ୍ଦ୍ର ନାଏକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ମହିଳା ଜମାକାରୀ । ସୂଚନା ଅନୁସାରେ କଣ୍ଟିଆପଡ଼ା,ପୁରୁଣିଆ ଓ ବଲାଣିପଶି ଗାଁର ଶତାଧିକ ମହିଳା ପୋଷ୍ଟ ଅଫିସରେ ଫିକ୍ସ,ପିଏଲଆଇ, ଆରଡି ସହ ସୁକନ୍ୟା ଯୋଜନାରେ ଟଙ୍କା ଜମା କରିଥିଲେ ।

ହେଲେ ପୋଷ୍ଟ ମାଷ୍ଟର ତାଙ୍କ ଖାତାରେ ଟଙ୍କା ଜମା କରିନାହାଁନ୍ତି । ପାସବୁକ୍ ନଦେଇ ନିରୀହ ଲୋକଙ୍କ ଟଙ୍କା ହଡ଼ପ କରିଛନ୍ତି । ପାସବୁକ୍ ମାଗିଲେ ପୋଷ୍ଟମାଷ୍ଟର ଗାଳିଗୁଲଜ କରୁଛନ୍ତି । ଏନେଇ ଜମାକାରୀମାନେ ପ୍ରଥମେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ କୌଣସି ପଦକ୍ଷେପ ନନେବାରୁ ପୋଷ୍ଟାଲ ସୁପେରିଣ୍ଟେଣ୍ଡଣ୍ଟ ଓ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏଥିରେ ବିଳମ୍ବ ହେବାରୁ ଜମାକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଡିପୋଜିଟ୍ କରିଥିବା ଟଙ୍କା ଫେରସ୍ତ ପାଇଁ ସେମାନେ ବିକ୍ଷୋଭ କରିଛନ୍ତି । ପୋଷ୍ଟ ଅଫିସ ଘେରାଉ କରିବା ସହ ତୁରନ୍ତ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି । ତଦନ୍ତ ସହ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଜମାକାରୀ ।