ସାବଧାନ! ରାଜଧାନୀ ଉପରେ ରହିବ ପୋଲିସର ଆଖି। କମିଶନରେଟ ପୋଲିସ, ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ ତଥା ରାସ୍ତାକୁ ନିୟନ୍ତ୍ରିତ କରିବା ଲକ୍ଷ୍ୟରେ ଆକାଶ ମାର୍ଗରୁ ଡ୍ରୋନ ଜରିଆରେ ରଖିବ ନଜର। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।
ଭୁବନେଶ୍ୱର ଡିସିପି କହିଛନ୍ତି କି, ରାଜ୍ୟ ରାଜଧାନୀର ଗଳି କନ୍ଦିରେ ବୁଲୁଥିବା ସନ୍ଦିଗ୍ଧ ଗାଡି ଓ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଏପରି ବ୍ୟବସ୍ଥା ହେବାକୁ ଯାଉଛି। ଏହା ଡ୍ରୋନ ଦ୍ୱାରା ପାଟ୍ରୋଲିଂ ହେବ। ଆକାଶରେ ଏହି ଡ୍ରୋନ ୫ଶହ ମିଟର ଉଚ୍ଚରେ ରହି ମାଟି ଉପରେ ନଜର ରଖିବ। ଆଗକୁ ନିୟୋଜିତ କରିବାକୁ ଥିବା ଡ୍ରୋନ ହାଇ ଡେଫିନେସନ କ୍ୟାମେରା ଖଚିତ ହେବା ସହ ଏହା ୫ କିମି ପରିଧି ଭିତରେ ହେଉଥିବା ହରକତକୁ କ୍ୟାପଚର କରିବା ମୁଖ୍ୟତଃ ରାଜଧାନୀରେ ବିଭିନ୍ନ ପର୍ବ ପର୍ବାଣୀ, ଆନ୍ଦୋଳନ, ରାଲି ପରି ବିଭିନ୍ନ ଜନ ଗହଳି ସୃଷ୍ଟିକାରୀ ଘଟଣାକ୍ରମରେ ପୋଲିକୁ ସହାୟକ ହେବ ବୋଲି ପ୍ରତୀକ ସିଂହ କହିଛନ୍ତି।
ସେ ଆହୁରି କହିଛନ୍ତି କି, ବର୍ତ୍ତମାନ କମିଶନରେଟ ପୁଲିସ ପାଖରେ ଗୋଟିଏ ଡ୍ରୋନ ରହିଛି। ଆବଶ୍ୟକ ପଡ଼ିଲେ ଆହୁରି ଡ୍ରୋନ ଅଣାଯାଇ ବ୍ୟବହାର କରିବାର ବ୍ୟବସ୍ଥା କରାଯିବ। ଏଥିପାଇଁ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଛି। ରାଜଧାନୀରେ ହକି ଓ ଫୁଟବଲ ଇଭେଣ୍ଟ ଡ୍ରୋନକୁ ବ୍ୟବହାର କରାଯାଇପାରିବ। କଣ୍ଟ୍ରୋଲ ରୁମ୍ରେ ବସି ଇଭେଣ୍ଟ ଉପରେ ନଜର ରଖାଯାଇପାରିବ। ୨୦୨୪ ନିର୍ବାଚନ ସମୟରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
ଏପରି ହେଲେ ଭୁବନେଶ୍ୱରର ରାସ୍ତା ଘାଟ ଓ ଗଳି କନ୍ଦିରେ କୌଣସି ଘଟଣା ଘଟିଲେ ଡ୍ରୋନ ଉପରେ ନଜର ରଖିଥିବା କଣ୍ଟ୍ରୋଲ ରୁମକୁ ତୁରନ୍ତ ସୂଚନା ମିଳିବ ଓ ସଠିକ ସମୟରେ ସନ୍ଦିଗ୍ଧ ବ୍ୟକ୍ତିକୁ କାବୁ କରିବାରେ ପୋଲିସ ସଫଳ ହୋଇପାରିବ ବା ବଡ ଧରଣର ଅଘଟଣକୁ ଏଡାଇ ପାରିବ ବୋଲି ଆଶା କରାଯାଉଛି।