ଇତିହାସ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ବଜାରରୁ ଉଠାଇ ନେବାକୁ ହେଇଛି ବଡ ନିଷ୍ପତ୍ତି। ଏନେଇ ଶୁକ୍ରବାର ରାତିରେ ଆରବିଆଇ ଘୋଷଣା କରିଛି। ଏହି ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ ଗଚ୍ଛିତ କରି ରଖିଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଚଡକ ପଡିଥିବ। ତେବେ ଏହି ନୋଟର ପ୍ରଚଳନ ବଜାରରେ ନ ହେଲେ ମଧ୍ୟ ଏହାକୁ ବଦଳାଯାଇପାରିବ।
ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଉଠାଇ ନେବାକୁ ଘୋଷଣା କରିଥିଲେ ମଧ୍ୟ ଏହି ଟଙ୍କାକୁ ବଦଳାଇବାକୁ ଦେଇଛି ମହଲତ। ମେ ୨୩ ତାରିଖରୁ ନିଜ ପାଖରେ ୨୦୦୦ ଟଙ୍କିଆ ନୋଟ ଥିଲେ ଏହାକୁ ବ୍ୟାଙ୍କକୁ ଯାଇ ବଦଳାଇବାର ପ୍ରାବଧାନ ମଧ୍ୟ ରହିଛି। ମେ ୨୩ରୁ ସେପ୍ଟମ୍ବର ଶେଷ ତାରିଖ ସୁଦ୍ଧା ଯେକୌଣସି ବ୍ୟାଙ୍କକୁ ଯାଇ ବଦଳାଇ ହେବ। ତେବେ ଏଥିରେ ରହିଛି ଏକ ସର୍ତ୍ତ। ଜଣେ ବ୍ୟକ୍ତି ଏକକାଳୀନ ୨୦,୦୦୦ ପର୍ଯ୍ୟନ୍ତ ବଦଳାଇପାରିବେ।
୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା। ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।
କିନ୍ତୁ ଯେତିକି ଟଙ୍କା ବଜାରକୁ ଛଡାଗଲା, ତାହାର ଦର୍ଶନ ସାଧାରଣ ଲୋକଙ୍କୁ ମିଳିନଥିଲା। କାରଣ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ ସୂଚନା ଦେଇଥିଲେ ।
ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ। ଟଙ୍କା ଯେମିତି ବଜାରକୁ ଆସିଥିଲା ସେମିତି ହଜିଗଲା। ଅନେକ ଏହି ନୋଟର ଦର୍ଶନ ମଧ୍ୟ ପାଇ ନ ଥିଲେ। ସରକାର କଳାବଜାରୀ, ଦୁର୍ନୀତି ରୋକିବାକୁ ଏହାର ପ୍ରଚଳନ କରିଥିବା କହିଥିଲେ ମଧ୍ୟ ଏହି ଶ୍ରେଣୀର ନୋଟରେ ହୋଇଛି ସର୍ବାଧିକ ଘୋଟାଲା। କାରଣ ୧୦୦ ଟଙ୍କିଆ ୨୦ଟି ନୋଟ ବା ୫୦୦ ଟଙ୍କାର ୪ଟି ନୋଟର ସ୍ଥାନ ନେଇଥିଲା ଗୋଟିଏ ୨୦୦୦ଟଙ୍କାର ନୋଟ, ଯାହାକୁ ଗଚ୍ଛିତ କରିବା ସହଜ ଥିଲା। ଏହା ଇଡିର ରେଡ ସମୟରେ ବିଭିନ୍ନ ଧନୀକ, ରାଜନେତା, ଅଧିକାରୀଙ୍କ ଘରୁ ଜବତ ଟଙ୍କାରୁ ଜଣାପଡିଛି। ଟେବୁଲ ତଳ କାମ ପାଇଁ ୨୦୦୦ ଟଙ୍କା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି।