ବିହାର: ପରକୀୟା ପ୍ରେମ ପାଇଁ ସ୍ୱାମୀକୁ ରାସ୍ତାରୁ ହଟାଇଦେଲା ସ୍ତ୍ରୀ। ପ୍ରେମିକ ସହ ମିଶି ରଚିଲା ହତ୍ୟାର ଭୟଙ୍କର ଷଡ଼ଯନ୍ତ୍ର। ଆଉ ସ୍ୱାମୀକୁ ହତ୍ୟା କରିବା ପାଇଁ ଦେଲା ୪୦ ହଜାର ଟଙ୍କାର ସୁପାରି। ବିହାରର ରାଜଧାନୀ ପାଟନାର ବିହଟା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ସ୍ତ୍ରୀ, ତାଙ୍କ ପ୍ରେମିକ ଓ ଜଣେ ନାବାଳକଙ୍କୁ ଧରିଛି।
ସୂଚନା ଅନୁଯାୟୀ, ବିହଟା ଥାନା ଅନ୍ତର୍ଗତ ଦୌଲତପୁର ସିମରୀ ଗାଁର ମହମ୍ମଦ ଇରଫାନ ଇମାମ ଓରଫ କଲ୍ଲୁ ପେସାରେ ଜଣେ ଡ୍ରାଇଭର ଥିଲେ। ତାଙ୍କ ସ୍ତ୍ରୀ ନେହା ପରବୀନଙ୍କର ସେହି ଗାଁର ୨୨ ବର୍ଷୀୟ କରଣ କୁମାରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଏହି ସମ୍ପର୍କ ବିଷୟରେ ସ୍ୱାମୀ ଜାଣିବା ପରେ ବିରୋଧ କରିଥିଲେ। ଏହାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଶେଷରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସ୍ତ୍ରୀ ଓ ପ୍ରେମିକ ମିଶି ଷଡ଼ଯନ୍ତ୍ର ରଚିଥିବା ପୋଲିସ କହିଛି।
ଗତ ନଭେମ୍ବର ୧୦ ତାରିଖ ରାତିରେ ଇରଫାନ ନିଜ ଘରେ ଥିବାବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସିଥିଲେ। ସେମାନେ ଘରର କବାଟ ବାଡ଼େଇବା ପରେ ଇରଫାନ କବାଟ ଖୋଲିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଅତି ନିକଟରୁ ଗୁଳି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଇରଫାନଙ୍କ ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ନେଇଯାଇଥିଲେ।
ହତ୍ୟାକାଣ୍ଡ ପରେ ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଥିଲା। ବୈଷୟିକ ପ୍ରମାଣ ଓ ପଚରାଉଚରା ଆଧାରରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିବା ପୋଲିସ ଦାବି କରିଛି। ଅଭିଯୁକ୍ତ ସ୍ତ୍ରୀ ନେହା ପରବୀନ ଓ ପ୍ରେମିକ କରଣ କୁମାରଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି।
ତେବେ ଗୁଳି ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି। ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅନ୍ୟପଟେ ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।