Air India Hijack Threat : ଏୟାର ଇଣ୍ଡିଆ ବିମାନ ହାଇଜାକ୍ ଧମକ ଘଟଣାରେ ବଡ଼ ଖୁଲାସା! ହାତଲେଖା ଧରାପକାଇଲା ଅଭିଯୁକ୍ତଙ୍କୁ, ଜଣେ ଯାତ୍ରୀ ଗିରଫ

ଏୟାର ଇଣ୍ଡିଆ ବିମାନ ହାଇଜାକ୍ ଧମକ ଘଟଣାରେ ସାମ୍ନାକୁ ଆସିଛି ବଡ଼ ଖୁଲାସା। କୋଲକାତାରୁ ମୁମ୍ବାଇ ଯିବାକୁ ଥିବା ଏୟାର ଇଣ୍ଡିଆର AI 2772 ବିମାନରେ ଧମକପୂର୍ଣ୍ଣ ଚିଠି ମିଳିବା ଘଟଣାରେ ଜଣେ ଯାତ୍ରୀଙ୍କୁ ଧରିଛି ପୋଲିସ। ଅଟକ ଯାତ୍ରୀ ଜଣକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଧମକପୂର୍ଣ୍ଣ ଚିଠିର ହସ୍ତାକ୍ଷର ତାଙ୍କ ହାତଲେଖା ସହ ମେଳ ଖାଇବା ପରେ ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ଚିହ୍ନଟ କରିଥିଲେ। ଚିଠି ଲେଖିଥିବା କଥା ସେ ସ୍ୱୀକାର କରିଥିବା ମଧ୍ୟ ଖବର ମିଳିଛି।

ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖ ବୁଧବାର ସକାଳେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା ଏୟାର ଇଣ୍ଡିଆ ବିମାନ। ଏହି ସମୟରେ ବିମାନର ଶୌଚାଳୟ ଭିତରୁ ଏକ ହାତଲେଖା ଧମକପୂର୍ଣ୍ଣ ଚିଠି ଉଦ୍ଧାର କରିଥିଲେ କ୍ୟାବିନ୍ କ୍ରୁ।

ଚିଠିରେ ସକାଳ ୧୧ଟା ୧୦ ମିନିଟ୍‌ରେ ବିମାନ ହାଇଜାକ୍ କରାଯିବ ବୋଲି ଉଲ୍ଲେଖ ରହିଥିଲା। ଏହା ଜଣାପଡ଼ିବା ପରେ ତୁରନ୍ତ ସତର୍କ ହୋଇଯାଇଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ।

ବିମାନରେ ଥିବା ସମସ୍ତ ୧୦୫ ଜଣ ଯାତ୍ରୀ ଓ ୭ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ଏହାପରେ ବିମାନକୁ ଏକ ସ୍ୱତନ୍ତ୍ର ସୁରକ୍ଷିତ ସ୍ଥାନକୁ ନିଆଯାଇ ବ୍ୟାପକ ଯାଞ୍ଚ କରାଯାଇଥିଲା।

ସୁରକ୍ଷା ଯାଞ୍ଚ ପରେ ଧମକଟି ମିଥ୍ୟା ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ପ୍ରାୟ ୭ ଘଣ୍ଟା ବିଳମ୍ବରେ ଅପରାହ୍ଣ ୫ଟା ୩୮ ମିନିଟ୍‌ରେ ବିମାନଟି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା।

ଅନ୍ୟପଟେ ଚିଠିର ହସ୍ତାକ୍ଷରକୁ ଆଧାର କରି ସନ୍ଦିଗ୍ଧ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା। ତାଙ୍କୁ ବିମାନବନ୍ଦର ପୋଲିସ ଥାନାକୁ ହସ୍ତାନ୍ତର କରାଯାଇଛି।

ତେବେ କେଉଁ କାରଣରୁ ଅଭିଯୁକ୍ତ ଜଣକ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଥିଲେ, ସେନେଇ ତଦନ୍ତ ଜାରି ରହିଛି। ଏହି ଘଟଣା ପୁଣିଥରେ ବିମାନ ଯାତ୍ରାର ସୁରକ୍ଷାକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।