Gadi Eisenkot Warning : ଇରାନ ଉପରେ ଆକ୍ରମଣ କରନି! ନେତାନ୍ୟାହୁଙ୍କୁ ଚେତାବନୀ ଦେଲେ ଗାଦି ଆଇଜେନକୋଟ

ଇସ୍ରାଏଲରେ ନୂଆ ସରକାର ଗଠନ ପୂର୍ବରୁ ତେଜିଲା ରାଜନୈତିକ ବିବାଦ। ଇରାନ ଉପରେ ସମ୍ଭାବ୍ୟ ସାମରିକ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଚେତାବନୀ ଦେଇଛନ୍ତି ୟାଶାର ଦଳର ନେତା ଗାଦି ଆଇଜେନକୋଟ। ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ଜରୁରୀ ନଥିବା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନକରିବାକୁ ସେ ନେତାନ୍ୟାହୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହାକୁ ନେଇ ଇସ୍ରାଏଲ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ଇସ୍ରାଏଲ ସାଧାରଣ ନିର୍ବାଚନରେ ନେତାନ୍ୟାହୁଙ୍କ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ। ଏହାପରେ ନଭେମ୍ବର ୮ ତାରିଖରେ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ଗାଦି ଆଇଜେନକୋଟଙ୍କୁ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ତେବେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ନେତାନ୍ୟାହୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଏଭଳି ସ୍ଥିତିରେ ଇରାନ ଉପରେ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ନେତାନ୍ୟାହୁଙ୍କ ସରକାର ଇରାନ ବିରୋଧରେ ସାମରିକ ପଦକ୍ଷେପ ନେବାକୁ ବିଚାର କରୁଥିବା ଖବର ସାମ୍ନାକୁ ଆସିଛି। ଅନ୍ୟପଟେ ଇସ୍ରାଏଲ ସେନାର ବରିଷ୍ଠ ଅଧିକାରୀମାନେ ଏଭଳି ପଦକ୍ଷେପକୁ ନେଇ ଆପତ୍ତି ଉଠାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ଆଇଜେନକୋଟ ନିଜ ଚିଠିରେ କହିଛନ୍ତି, ଦେଶ ସାମ୍ନାରେ ତୁରନ୍ତ ବିପଦ ନଥିଲେ ସାମରିକ ଶକ୍ତି ବ୍ୟବହାର କରିବା ଉଚିତ ନୁହେଁ। ଏଭଳି ନିଷ୍ପତ୍ତି ଇସ୍ରାଏଲର ଗଣତନ୍ତ୍ର ଓ ସରକାରୀ ଅନୁଷ୍ଠାନ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇପାରେ।

ସେହିପରି ଜାତୀୟ ସୁରକ୍ଷା ସମ୍ପର୍କିତ ନିୟମିତ ଗୁପ୍ତ ସୂଚନା ଓ ବ୍ରିଫିଂ ଯୋଗାଇଦେବାକୁ ମଧ୍ୟ ଆଇଜେନକୋଟ ଦାବି କରିଛନ୍ତି। ଅନ୍ୟପଟେ ନେତାନ୍ୟାହୁ ତାଙ୍କ ଉପରେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାର ଅଭିଯୋଗ ଆଣିଛନ୍ତି।

ଏବେ ସମସ୍ତଙ୍କ ନଜର ଇସ୍ରାଏଲର ଆଗାମୀ ସରକାର ଗଠନ ଏବଂ ଇରାନକୁ ନେଇ ନେତାନ୍ୟାହୁଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି।