BJP Leader Silver Loot Case : ବିଜେପି ନେତାଙ୍କ ନାଁରେ ୬୨ କିଲୋ ରୁପା ଲୁଟ୍ ଅଭିଯୋଗ! ୫ ଗିରଫ, ଦଳରୁ ନିଲମ୍ବିତ ହେଲେ ବିଶାଲ ମହାସେଠ

ବିହାରରେ ବଡ଼ଧରଣର ରୁପା ଲୁଟ୍ ଘଟଣାରେ ସାମ୍ନାକୁ ଆସିଛି ରାଜନୈତିକ ଲିଙ୍କ୍। ୬୨ କିଲୋ ରୁପା ଲୁଟ୍ ମାମଲାରେ ଗିରଫ ହୋଇଛନ୍ତି ବିଜେପିର ଜଣେ ପୂର୍ବତନ ନଗର ମହାମନ୍ତ୍ରୀ। ଏହି ଘଟଣାକୁ ନେଇ ବିହାର ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ଗିରଫ ଅଭିଯୁକ୍ତ ହେଉଛନ୍ତି ବିଶାଲ ମହାସେଠ ଓରଫ୍ ବିକି। ପୋଲିସ ଏହି ଲୁଟ୍ ଘଟଣାରେ ବିଶାଲଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫଦାରୀ ପରେ ବିଜେପି ବିଶାଲଙ୍କୁ ଦଳରୁ ନିଲମ୍ବିତ କରିଛି।

ସୂଚନା ଅନୁଯାୟୀ, ନଭେମ୍ବର ୭ ତାରିଖରେ ବିହାରର ଦରଭଙ୍ଗା ଜିଲ୍ଲାରେ ପଶ୍ଚିମବଙ୍ଗର ଜଣେ ରୁପା ବ୍ୟବସାୟୀଙ୍କଠାରୁ ବିପୁଳ ପରିମାଣର ରୁପା ଲୁଟ୍ ହୋଇଥିଲା। ବ୍ୟବସାୟୀ ଜଣକ ଗାଡ଼ିରେ ରୁପା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଲୁଟ୍ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ପୋଲିସ ୬୨ କିଲୋରୁ ଅଧିକ ରୁପା ଜବତ କରିଛି। ଜବତ ରୁପାର ମୂଲ୍ୟ ପ୍ରାୟ ୧ କୋଟି ୩୯ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହାସହ ୫ ଲକ୍ଷ ୯୪ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ବ୍ୟବସାୟୀଙ୍କ ଗାଡ଼ି ଚାଳକ ଲୁଟେରାଙ୍କୁ ଯାତ୍ରା ସମ୍ପର୍କିତ ସୂଚନା ଦେଇଥିବା ପୋଲିସ ସନ୍ଦେହ କରୁଛି।

ସେପଟେ ବିଶାଲ ମହାସେଠଙ୍କ ସହ ବିହାର ବିଜେପି ସଭାପତି ସଞ୍ଜୟ ସରାଓଗୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ରାଜନୈତିକ ବିବାଦ ବଢ଼ିଛି।

ଏହି ଘଟଣାକୁ ନେଇ ସଞ୍ଜୟ ସରାଓଗୀ ସ୍ପଷ୍ଟୀକରଣ ଦେଇଛନ୍ତି। ଅପରାଧରେ ଯିଏ ସମ୍ପୃକ୍ତ ଥାଉ ନା କାହିଁକି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଅନ୍ୟପଟେ ଦଳର ଭାବମୂର୍ତ୍ତି ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବିଶାଲଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରାଯାଇଛି।

ତେବେ ଏହି ଲୁଟ୍ ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଏପର୍ଯ୍ୟନ୍ତ ଅଦାଲତରେ ପ୍ରମାଣିତ ହୋଇନାହିଁ।