କାଠମାଣ୍ଡୁ: ନେପାଳରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା। ଅବତରଣ ସମୟରେ ପରସ୍ପର ସହ ଧକ୍କା ହେଲେ ଦୁଇଟି ହେଲିକପ୍ଟର। ଦୁର୍ଘଟଣାରେ ଜଣେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି। ଘଟଣାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି। ଏହି ଅଘଟଣକୁ ନେଇ ନେପାଳର ପର୍ଯ୍ୟଟନ ଓ ବିମାନ ଚଳାଚଳ କ୍ଷେତ୍ରରେ ଚିନ୍ତା ପ୍ରକାଶ ପାଇଛି।
ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୧ ମିନିଟ୍ ସମୟରେ ନେପାଳର ସୋଲୁଖୁମ୍ବୁ ଜିଲ୍ଲାର ଫେରିଚେ ହେଲିପ୍ୟାଡ୍ରେ ଏହି ଦୁର୍ଘଟଣା ଘଟିଛି। ଏୟାର ଡାଇନାଷ୍ଟି ଏବଂ ଫିସ୍ଟେଲ୍ ଏୟାର କମ୍ପାନୀର ଦୁଇଟି ହେଲିକପ୍ଟର ଅବତରଣ କରୁଥିବା ସମୟରେ ପରସ୍ପର ସହ ଧକ୍କା ହୋଇଥିଲା। ପ୍ରାଥମିକ ସୂଚନା ଅନୁସାରେ ଉଭୟ ହେଲିକପ୍ଟରର ଘୂର୍ଣ୍ଣାୟମାନ ପଙ୍ଖା ପରସ୍ପର ସହ ଲାଗିଯିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣାରେ ମୃତ ଭାରତୀୟ ପର୍ଯ୍ୟଟକଙ୍କ ନାମ ବସନ୍ତ କୁମାର ବୋଲି ଜଣାପଡ଼ିଛି। ସେହିପରି ନ୍ୟୁଜିଲାଣ୍ଡର ଜଣେ ପର୍ଯ୍ୟଟକ ଓ ନେପାଳର ଜଣେ ପାଇଲଟ୍ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ, ଫେରିଚେ ଅଞ୍ଚଳ ମାଉଣ୍ଟ ଏଭରେଷ୍ଟ ନିକଟରେ ଅବସ୍ଥିତ। ଏଠାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଦେଶୀବିଦେଶୀ ପର୍ଯ୍ୟଟକ ଓ ପର୍ବତାରୋହୀ ଆସିଥାନ୍ତି। ଉଚ୍ଚ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଯାତାୟାତ ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ହେଲିକପ୍ଟର ଅବତରଣ ସମୟରେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାହାର ତଦନ୍ତ ଜାରି ରହିଛି।