EPFO New Update 2026: PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର! WhatsAppରେ ଜାଣନ୍ତୁ PF ବାଲାନ୍ସ

ଚାକିରିଆଙ୍କ ପାଇଁ ବଡ଼ ଖୁସି ଖବର। ଏଣିକି ଘରେ ବସି ମୋବାଇଲରେ ଜାଣିପାରିବେ ନିଜ PF ଖାତାର ସବୁ ହିସାବ। ଆଉ PF ବାଲାନ୍ସ ଜାଣିବା ପାଇଁ ବାରମ୍ବାର EPFO ଅଫିସ୍ ଦୌଡ଼ିବାକୁ ପଡ଼ିବନି। କାରଣ ଏବେ WhatsAppରେ ଉପଲବ୍ଧ ହେବ EPFOର ସ୍ୱତନ୍ତ୍ର ସେବା। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରବିବାର ଏହି ନୂଆ ସୁବିଧାର ଶୁଭାରମ୍ଭ କରିଛନ୍ତି।

EPFOର ୭୪ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି। ନୂଆ ବ୍ୟବସ୍ଥା ଅନୁସାରେ, EPF ଖାତାଧାରୀମାନେ EPFOର ଭେରିଫାଏଡ୍ WhatsApp ସେବା ମାଧ୍ୟମରେ ନିଜ PF ବାଲାନ୍ସ ଯାଞ୍ଚ କରିପାରିବେ। ଏହାସହ ଖାତାର ଶେଷ ୫ଟି କାରବାର ଓ ପାସବୁକ୍ ସମ୍ପର୍କିତ ତଥ୍ୟ ମଧ୍ୟ ପାଇପାରିବେ।

କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ବା PMVBRY ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବା ପାଇଁ ମଧ୍ୟ ବ୍ୟକ୍ତିଗତ ମାର୍ଗଦର୍ଶନ ଓ ସହାୟତା ମିଳିବ। ଏହାଦ୍ୱାରା କୋଟି କୋଟି କର୍ମଚାରୀ ସହଜରେ ନିଜ ଅବସରକାଳୀନ ସଞ୍ଚୟ ସମ୍ପର୍କରେ ସୂଚନା ପାଇପାରିବେ।

ଅନ୍ୟପଟେ ଦୀର୍ଘଦିନ ଧରି ନିଷ୍କ୍ରିୟ ହୋଇପଡ଼ିଥିବା PF ଆକାଉଣ୍ଟକୁ ନେଇ ମଧ୍ୟ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଧାର ଯାଞ୍ଚ ହୋଇଥିବା ନିଷ୍କ୍ରିୟ PF ଖାତାରେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ଥିଲେ, ଯୋଗ୍ୟ ଖାତାଧାରୀଙ୍କୁ ଆଉ ଅଲଗା ଦାବି ଆବେଦନ କରିବାକୁ ପଡ଼ିବନି। ଆବଶ୍ୟକ ପରିଚୟ ଓ ବ୍ୟାଙ୍କ ଖାତା ଯାଞ୍ଚ ପରେ EPFO ସ୍ୱୟଂଚାଳିତ ଭାବେ ଟଙ୍କା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବ।

ଏହି ନୂଆ ପଦକ୍ଷେପ ଦ୍ୱାରା ପ୍ରାୟ ଏକ ଲକ୍ଷ ନିଷ୍କ୍ରିୟ ଆକାଉଣ୍ଟରେ ଥିବା ମୋଟ ୫ କୋଟି ଟଙ୍କା ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ। ଦେଶର ୮ କୋଟିରୁ ଅଧିକ ସକ୍ରିୟ EPFO ସଦସ୍ୟଙ୍କ ପାଇଁ ଡିଜିଟାଲ୍ ସେବାକୁ ଅଧିକ ସହଜ ଓ ସୁବିଧାଜନକ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।