Gurugram Accident : ଭଗବାନଙ୍କ ଦର୍ଶନ ସାରି ଫେରୁଥିଲେ, ଅଧାବାଟରେ ଚାଲିଗଲା ୩ ଜୀବନ !

ଭଗବାନଙ୍କ ଦର୍ଶନ ସାରି ଖୁସିରେ ଘରକୁ ଫେରୁଥିଲେ ପୂରା ପରିବାର। ହେଲେ କିଏ ଜାଣିଥିଲା, ବାଟରେ ଜଗି ବସିଛି ମୃତ୍ୟୁ। ଗୋଟିଏ ମୁହୂର୍ତ୍ତରେ ଚୂରମାର ହୋଇଗଲା ସବୁ ସ୍ୱପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଉଜୁଡ଼ିଗଲା ହସଖୁସିର ପରିବାର। ଚାଲିଗଲା ସ୍ୱାମୀ, ସ୍ତ୍ରୀ ଓ କୁନି ଝିଅର ଜୀବନ। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାରର ଆଉ ଦୁଇ ଶିଶୁ।

ହରିୟାଣାର ଗୁରୁଗ୍ରାମ ଜିଲ୍ଲା ସୋହନା ନିକଟ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଗୁରୁବାର ଭୋର୍ ସମୟରେ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା। ରାଜସ୍ଥାନର ପ୍ରସିଦ୍ଧ ମେହନ୍ଦୀପୁର ବାଲାଜୀ ମନ୍ଦିରରୁ ଦର୍ଶନ ସାରି ଦିଲ୍ଲୀ ଫେରୁଥିଲେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ। ହେଲେ ସୋହନା ନିକଟରେ ସେମାନଙ୍କ କାର୍ ରାସ୍ତାରେ ଅଟକିଥିବା ଏକ ଟୁରିଷ୍ଟ ବସ୍‌କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା।

ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ର ଅଧାରୁ ଅଧିକ ଅଂଶ ବସ୍ ତଳେ ପଶିଯାଇଥିଲା। ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା କାର୍‌ର ଆଗପଟ। ଗାଡ଼ି ଭିତରେ ଫସି ରହିଥିଲେ ପରିବାରର ସମସ୍ତ ସଦସ୍ୟ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ। ଦୀର୍ଘ ସମୟର ଉଦ୍ୟମ ପରେ ଦୁର୍ଘଟଣାଗ୍ରସ୍ତ କାର୍‌ରୁ ଉଦ୍ଧାର କରାଯାଇଥିଲା ସମସ୍ତଙ୍କୁ। ହେଲେ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ଝିଅଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।

ଅନ୍ୟପଟେ କାର୍ ଭିତରେ ଫସିଥିବା ଦୁଇ ଶିଶୁଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ। ଏଥିସହ ରାସ୍ତାରେ ବସ୍ ଅଟକାଇଥିବା ଡ୍ରାଇଭର ଓ ମାଲିକଙ୍କ ସମ୍ପର୍କରେ ଖୋଳତାଡ଼ ଚାଲିଛି।