Naseeruddin Shah Controversy : ନିଜକୁ ‘ଦିମାଗୀ ନକ୍ସଲ’ କହିଲେ ନସିରୁଦ୍ଦିନ ଶାହ ! କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ବଲିଉଡ୍‌ର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହଙ୍କ ଏକ ବୟାନକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼। ନିଜକୁ ‘ଦିମାଗୀ ନକ୍ସଲ’ କହି ଚର୍ଚ୍ଚାକୁ ଆସିଛନ୍ତି ନସିରୁଦ୍ଦିନ। ଆଉ ଏହି ବୟାନକୁ ନେଇ ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଅଭିନେତାଙ୍କ ଚିନ୍ତାଧାରା ଓ ମନ୍ତବ୍ୟକୁ ଭାରତୀୟ ଗଣତନ୍ତ୍ର ପାଇଁ କ୍ଷତିକାରକ ବୋଲି କହିଛନ୍ତି ରିଜିଜୁ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ନସିରୁଦ୍ଦିନ ଶାହ ନିଜକୁ ଗର୍ବର ସହ ‘ଦିମାଗୀ ନକ୍ସଲ’ ବୋଲି କହିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ନୀତି ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠାଇଥିଲେ ପ୍ରଶ୍ନ। ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘ ପୁନର୍ଗଠନ ଦାବିରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇଥିଲେ ଅଭିନେତା।

ସେ ପ୍ରଶ୍ନ କରିଥିଲେ, ଦେଶର ଯୁବପିଢ଼ିଙ୍କ ମନୋବଳ ଭାଙ୍ଗିବା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବା ପାଇଁ ସରକାର ଆଉ କେତେ ଦୂର ଯିବେ? ତାଙ୍କ ଭଳି ଲୋକଙ୍କୁ ଦେଶବିରୋଧୀ ଓ ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍ ଭଳି ଆଖ୍ୟା ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

ଅନ୍ୟପଟେ ଏହି ଭିଡିଓକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କିରଣ ରିଜିଜୁ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ରିଜିଜୁ କହିଛନ୍ତି, ପୂର୍ବରୁ ସେ ନସିରୁଦ୍ଦିନ ଶାହଙ୍କୁ ଜଣେ ସାଧାରଣ ଅଭିନେତା ଭାବୁଥିଲେ। ତାଙ୍କୁ ପସନ୍ଦ କରୁଥିଲେ ଏବଂ ସମ୍ମାନ ମଧ୍ୟ ଦେଉଥିଲେ। କିନ୍ତୁ ସେ ଜଣେ ବିପଜ୍ଜନକ ‘ଅର୍ବାନ ଦିମାଗୀ ନକ୍ସଲ’ ବୋଲି ଜାଣିନଥିଲେ। ତାଙ୍କ ପ୍ରକୃତ ଚରିତ୍ର ବୁଝିବାରେ ବହୁତ ବିଳମ୍ବ ହୋଇଗଲା ବୋଲି ରିଜିଜୁ ମନ୍ତବ୍ୟ ଦେଇଛନ୍ତି।

ଏବେ ନସିରୁଦ୍ଦିନଙ୍କ ବୟାନ ଓ ରିଜିଜୁଙ୍କ ପ୍ରତିକ୍ରିୟାକୁ ନେଇ ଜୋର ଧରିଛି ରାଜନୈତିକ ଚର୍ଚ୍ଚା। ଅଭିନେତାଙ୍କ ମତପ୍ରକାଶ ଅଧିକାର ଓ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି।