ବାହାଘର କରିବାକୁ ଦେଖିଥିଲେ ସ୍ୱପ୍ନ। ହେଲେ ପାଖରେ ନଥିଲା ଟଙ୍କା। ଆଉ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଇ ଅପରାଧର ରାସ୍ତା ବାଛିଲେ ପ୍ରେମୀଯୁଗଳ। ମନ୍ଦିରରେ କାମ କରୁଥିବା ଜଣେ ବୃଦ୍ଧାଙ୍କୁ ଟାର୍ଗେଟ୍ କରି ତାଙ୍କ ବେକରୁ ସୁନା ଚେନ୍ ଲୁଟିନେଇଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ପୋଲିସ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲଙ୍ଗାନାର ହାଇଦ୍ରାବାଦରୁ।
ସୂଚନା ଅନୁସାରେ, ହାଇଦ୍ରାବାଦର ବନସ୍ଥଳୀପୁରମ୍ ଅଞ୍ଚଳରେ ଥିବା ଶ୍ରୀ ରାଜରାଜେଶ୍ୱରୀ ମନ୍ଦିରରେ ଏହି ଘଟଣା ଘଟିଛି। ଅକ୍ଟୋବର ୧୮ ତାରିଖ ସକାଳେ ରାମୁଲମ୍ମା ନାମକ ଜଣେ ବୃଦ୍ଧା ମନ୍ଦିରରେ ସଫେଇ କାମ କରୁଥିଲେ। ସେହି ସମୟରେ ଜଣେ ଯୁବକ ଓ ଯୁବତୀ ତାଙ୍କ ନିକଟକୁ ଆସିଥିଲେ।
ଅଭିଯୋଗ ଅନୁସାରେ, ବୃଦ୍ଧାଙ୍କୁ ସାହାଯ୍ୟ କରିବା ବାହାନାରେ ଉଭୟ ତାଙ୍କ ନିକଟକୁ ଯାଇଥିଲେ। ଏହାପରେ ମହିଳାଙ୍କ ମୁହଁକୁ ଚାପି ଧରି ତାଙ୍କ ବେକରୁ ପ୍ରାୟ ତିନି ତୋଳା ଓଜନର ସୁନା ଚେନ୍ ଛଡ଼ାଇ ନେଇଥିଲେ। ଘଟଣା ପରେ ଦୁହେଁ ଦୁଇଚକିଆ ଗାଡ଼ିରେ ଫେରାର ହୋଇଯାଇଥିଲେ।
ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମନ୍ଦିର ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ଘଟଣାର ଦୁଇଦିନ ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରେମୀଯୁଗଳ ଆନ୍ଧ୍ରପ୍ରଦେଶର ବାସିନ୍ଦା। ସେମାନେ ପ୍ରାୟ ଦେଢ଼ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ଚାକିରି ସନ୍ଧାନରେ ହାଇଦ୍ରାବାଦ ଆସିଥିଲେ ମଧ୍ୟ କାମ ନମିଳିବାରୁ ଆର୍ଥିକ ସମସ୍ୟାରେ ପଡ଼ିଥିଲେ। ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଏହି ଲୁଟ୍ ଯୋଜନା କରିଥିବା ପୋଲିସ କହିଛି।
ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା ଜବତ କରାଯାଇଛି। ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ବାହାଘର ପାଇଁ ଘର ବସାଇବାର ସ୍ୱପ୍ନ ଦେଖୁଥିବା ପ୍ରେମୀଯୁଗଳ ଏବେ ଚୋରି ଅଭିଯୋଗରେ ଜେଲ୍ରେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।