ପାରାଦ୍ୱୀପ ନିକଟ ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡ଼ିଯିବା ଘଟଣାକୁ ନେଇ ଏବେବି ଚିନ୍ତା ଜାରି ରହିଛି। ଦୁର୍ଘଟଣା ପରେ ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୨୨ ଜଣଙ୍କର ଏବେବି କୌଣସି ସନ୍ଧାନ ମିଳିନାହିଁ। ନିଖୋଜ ନାବିକମାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି।
ଉଦ୍ଧାର ହୋଇଥିବା ଦୁଇ କ୍ରୁ ସଦସ୍ୟ ଶେଷରେ ପାରାଦ୍ୱୀପରେ ପହଞ୍ଚିଛନ୍ତି। କୋଷ୍ଟଗାର୍ଡର ଜାହାଜ ‘ଭରଦ’ ଯୋଗେ ଉଭୟଙ୍କୁ ପାରାଦ୍ୱୀପ ବନ୍ଦରକୁ ଅଣାଯାଇଥିଲା। ସେମାନେ ବନ୍ଦରରେ ପହଞ୍ଚିବା ପରେ ଇମିଗ୍ରେସନ ବିଭାଗର ସ୍ୱତନ୍ତ୍ର ଟିମ୍, ପାରାଦ୍ୱୀପ ଅତିରିକ୍ତ ଏସ୍ପି ଆଜିଙ୍କ୍ୟ ମାଣେ ଏବଂ ସିଆଇଏସ୍ଏଫ୍ ଅଧିକାରୀମାନେ ସେଠାରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିଥିଲେ।
ପ୍ରାଥମିକ ଯାଞ୍ଚ ପରେ ଉଦ୍ଧାର ହୋଇଥିବା ଦୁଇ ନାବିକଙ୍କୁ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମୁଦ୍ରରେ ଦୀର୍ଘ ସମୟ ରହିବା ଏବଂ ଦୁର୍ଘଟଣାର ଧକ୍କା ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ।
ସୂଚନା ଅନୁସାରେ, ଚିକିତ୍ସା ପରେ ଇମିଗ୍ରେସନ ଅଫିସ୍ ପକ୍ଷରୁ ଉଦ୍ଧାର ହୋଇଥିବା ଦୁଇ ନାବିକଙ୍କୁ ଜାହାଜର ଏଜେନ୍ସୀକୁ ହସ୍ତାନ୍ତର କରାଯିବ। ଏହାପରେ ଏଜେନ୍ସୀ ସେମାନଙ୍କୁ କଲିକତା ନେଇଯିବ। ସେଠାରୁ ଚୀନ୍ ଦୂତାବାସ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପ୍ରକ୍ରିୟା ପରେ ସେମାନଙ୍କୁ ହସ୍ତାନ୍ତର କରାଯିବାର ସୂଚନା ମିଳିଛି।
ଅନ୍ୟପଟେ ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି, ଜାହାଜର ଆଉ ୨୨ ଜଣ କ୍ରୁ ସଦସ୍ୟ ଏବେବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସମୁଦ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି। ଉଦ୍ଧାର କାର୍ଯ୍ୟରେ ଚୀନ୍ର ଦୁଇଟି ଜାହାଜ, ଭାରତୀୟ ନୌସେନାର ଦୁଇଟି ଏୟାରକ୍ରାଫ୍ଟ ଏବଂ କୋଷ୍ଟଗାର୍ଡର ଗୋଟିଏ ଜାହାଜ ନିୟୋଜିତ ହୋଇଛି।
ସମୁଦ୍ରରେ ପାଣିପାଗ ଏବଂ ତରଙ୍ଗର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଖୋଜ ନାବିକଙ୍କ ସନ୍ଧାନ ଅଭିଯାନକୁ ସତର୍କତାର ସହ ଆଗେଇ ନିଆଯାଉଛି। ପ୍ରତ୍ୟେକ ସମ୍ଭାବ୍ୟ ଅଞ୍ଚଳରେ ତଲାସୀ ଚାଲିଥିବା ବେଳେ ନିଖୋଜ ନାବିକମାନଙ୍କୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ହିଁ ଉଦ୍ଧାରକାରୀ ଦଳର ମୁଖ୍ୟ ଲକ୍ଷ୍ୟ ରହିଛି।
ପାରାଦ୍ୱୀପ ନିକଟ ସମୁଦ୍ରରେ ଘଟିଥିବା ଏହି ଦୁର୍ଘଟଣା ଏବେ ଆନ୍ତର୍ଜାତୀୟ ସାମୁଦ୍ରିକ ଘଟଣାର ରୂପ ନେଇଛି। ଦୁଇ ନାବିକ ଉଦ୍ଧାର ହେବା ପରେ ଆଶା ସଞ୍ଚାର ହୋଇଥିବା ବେଳେ ନିଖୋଜ ୨୨ ଜଣଙ୍କୁ ନେଇ ପରିବାର ଓ ସମ୍ପର୍କୀୟଙ୍କ ଚିନ୍ତା ବଢ଼ିଛି। ଉଦ୍ଧାର ଅଭିଯାନ ଜାରି ରହିଥିବାରୁ ଆଗାମୀ ସମୟରେ ଆହୁରି ନାବିକଙ୍କ ସନ୍ଧାନ ମିଳିବ ବୋଲି ଆଶା କରାଯାଉଛି।