ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ବେଖାତିର କରିଛନ୍ତି ଜାହାଜ ମାଲିକ

ପାରାଦ୍ଵୀପ ବନ୍ଦରରେ ଥିବା ବିଦେଶୀ ଜାହାଜ ‘ଏମ୍‌ଟି ୟୁନିଟି’କୁ ଗିରଫ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‘ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍’ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ଆଡ୍‌ମିରାଲିଟି ଜଜ୍ ଜଷ୍ଟିସ୍ ଭି. ନରସିଂହ ଏହି ଆଦେଶ ଦେଇଛନ୍ତି।

‘ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍’ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଜାହାଜ ଏବଂ ତା’ର ମାଲିକଙ୍କ ବିରୋଧରେ ୩ କୋଟିରୁ ଅଧିକ ଟଙ୍କା ବାକି ପରିଶୋଧ ପାଇଁ ଦାବି କରିଥିଲେ। ଜାହାଜର କର୍ମଚାରୀମାନଙ୍କ ବାକି ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବାବଦରେ ଏହି ଖର୍ଚ୍ଚ ହୋଇଥିବା ଆବେଦନକାରୀ ଦର୍ଶାଇଥିଲେ। ‘ସାମୁଦ୍ରିକ ଆକ୍ଟ-୨୦୧୭ର ଧାରା ୪ ଅଧୀନରେ ବାକି ଅର୍ଥର ଦାବି ଗ୍ରହଣଯୋଗ୍ୟ ହୋଇଥିବାରୁ ଏବଂ ଜାହାଜଟି ପାରାଦ୍ଵୀପ ବନ୍ଦର ଛାଡ଼ି ଚାଲିଯିବାର ସମ୍ଭାବନା ଥିବାରୁ କୋର୍ଟ ତୁରନ୍ତ ଏହାକୁ ଗିରଫ କରିବାକୁ ଆଦେଶ ଦେଇଛନ୍ତି।

ତେବେ ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଜାହାଜରେ ଥିବା ମାଲ୍ ବା ସାମଗ୍ରୀ ସହିତ ଏହି ମାମଲାର କୌଣସି ସମ୍ପର୍କ ନାହିଁ । ତେଣୁ ଜାହାଜ ଗିରଫ ହେଲେ ମଧ୍ୟ ମାଲ୍ ଖଲାସ ପ୍ରକ୍ରିୟା ଜାରି ରହିପାରିବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୯ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସୂଚନା ମୁତାବକ ଗତ ତିନି ମାସ ତଳେ ମଧ୍ୟ ଉକ୍ତ ଜାହାଜ କୁ ଗିରଫ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜାହାଜ ମାଲିକ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଟଙ୍କା ପୈଠ କରିବାକୁ ପ୍ରତିଶ୍ରୁତି ଦେବା ପରେ ଜାହାଜ କୁ ଛଡ଼ା ଯାଇଥିଲା। ତିନିମାସ ଭିତରେ ଟଙ୍କା ପୈଠ ନକରି ଫାଙ୍କି ଚାଲିଥିଲେ । ଫଳରେ ଏଜେନ୍ସୀ ପୁଣିଥରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।