ଟଙ୍କା ନେଇ ଧରାଇଲେ ନକଲି,ଗରିବଙ୍କ ଅଧିକାରରେ ଜାଲିଆତି

ବର୍ଷ ବର୍ଷ ଧରି ଦୌଡ଼ି ଦୌଡ଼ି, ହଜାର ହଜାର ଟଙ୍କା ଦେଇ ପାଇଥିଲେ ରାସନକାର୍ଡ। ଶେଷରେ ହାତକୁ ଆସିଲା ନକଲି କାର୍ଡ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକରେ ସାମ୍ନାକୁ ଆସିଛି ଏଭଳି ଏକ ବଡ଼ ଜାଲିଆତି। ନକଲି କାର୍ଡ କୁ ଧରି ମୁଣ୍ଡରେ ହାତ ଦେଇ ବସିଛି ହିତାଧିକାରୀ। ଘଟଣା କୁ ନେଇ ଜିଲ୍ଲା ପ୍ରଶାସନ ଖୋଳତାଡ଼ କରିବା ପରେ ଏବେ ଦୁଇ ଜଣଙ୍କ ବିରୋଧରେ ଦିଆଯାଇଛି ମାମଲା।

କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତର ଜନାପାଳ ଗାଁ ରେ ଏବେ ଲୋକଙ୍କ ମଧ୍ୟରେ ପଡ଼ିଛି ଭାଳେଣି। ଦୀର୍ଘ ଦିନ ଧରି ରାସନକାର୍ଡ ପାଇଁ ବ୍ଲକ ଓ ପଞ୍ଚାୟତ ଦୌଡ଼ିବା ପରେ ଲୋକମାନେ ଜନସେବା କେନ୍ଦ୍ର ମାଧ୍ୟମରେ ପାଇଥିଲେ କାର୍ଡ। କିନ୍ତୁ ଡିଲରଙ୍କ ପାଖକୁ ଚାଉଳ ନେବାକୁ ଯିବା ପରେ ଜଣାପଡ଼ିଲା, ସେହି କାର୍ଡ ସମ୍ପୂର୍ଣ୍ଣ ନକଲି। କେନ୍ଦ୍ର ପ୍ରତିନିଧିଙ୍କ ଠାରୁ ପାଇଥିବା କାର୍ଡ ଏବେ କାମରେ ଆସୁନି। ଚାଉଳ ଦେବାକୁ ମନା କରୁଛି ଡିଲର ଓ ଯୋଗାଣ ନିରୀକ୍ଷକ କହୁଛନ୍ତି ଏହା ପୁରାପୁରି ଫର୍ଜରି। ଅଭିଯୋଗ ଅନୁସାରେ, ପଙ୍କପାଳ ଜନସେବା କେନ୍ଦ୍ରର ପ୍ରତିନିଧି ମିଥୁନ ଜେନା ବ୍ଲକର ଡାଟା ଏଣ୍ଟ୍ରି ଅପରେଟର ଆଲୋକ ମହାନ୍ତିଙ୍କ ନାଁରେ ଶୀଘ୍ର ରାସନକାର୍ଡ କରାଇଦେବାର ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କ ଠାରୁ ୨ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ। କେବଳ ଜନାପାଳ ନୁହେଁ, କୁଜଙ୍ଗ ବ୍ଲକର ପ୍ରାୟ ୯୪ ଜଣଙ୍କୁ ଏଭଳି ନକଲି ରାସନକାର୍ଡ ଦିଆଯାଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ ମାଗିବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଧରାଛୁଆଁ ଦେଉନଥିବା କହୁଛନ୍ତି ପୀଡ଼ିତମାନେ।
ଘଟଣା ଏବେ ଜନାପାଳ ରୁ ଆସି କୁଜଙ୍ଗ ବ୍ଲକରେ ପହଞ୍ଚିଥିବା ବେଳେ, ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ତଦନ୍ତରେ ଡାଟା ଏଣ୍ଟ୍ରି ଅପରେଟର ଆଲୋକ ମହାନ୍ତି ଏବଂ ଜନସେବା କେନ୍ଦ୍ର ପ୍ରତିନିଧି ମିଥୁନ ଜେନା ମିଳିତ ଭାବେ ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ନକଲି ରାସନକାର୍ଡ ଯୋଗାଇଥିବା ସନ୍ଦେହ ପ୍ରକାଶ ପାଇଛି। ଏହାପରେ ଉଭୟଙ୍କ ବିରୋଧରେ କୁଜଙ୍ଗ ଥାନାରେ ଏତଲା ଦାଖଲ କରାଯାଇଛି। ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଜାରି ରହିଛି।
ଏକ ସରକାରୀ କଲ୍ୟାଣକାରୀ ଯୋଜନାକୁ ଆଧାର କରି ଗରିବ ଲୋକଙ୍କୁ ଠକିବାର ଏଭଳି ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ରାସନକାର୍ଡ ରାକେଟରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଧାରଣ ଲୋକ।