
ସାଧାରଣତଃ ଖରାଦିନର ଅସହ୍ୟ ଗରମରୁ ରକ୍ଷା ପାଇବାକୁ ଲୋକେ ପଖା, ଏସି କିମ୍ବା ଥଣ୍ଡା ପରିବେଶର ସହାୟତା ନେଇଥାନ୍ତି। ସେହିପରି ଶୀତଦିନରେ ଗରମ ପୋଷାକ ଓ କମ୍ବଳର ଆଶ୍ରୟ ନେଇଥାନ୍ତି। କିନ୍ତୁ ହରିୟାଣାର ଜଣେ ବ୍ୟକ୍ତିଙ୍କ ଜୀବନଶୈଳୀ ଏହାର ସମ୍ପୂର୍ଣ୍ଣ ବିପରୀତ। ତାଙ୍କୁ ଖରାଦିନେ ଥଣ୍ଡା ଲାଗେ, ତେଣୁ ସେ ମୋଟା କମ୍ବଳ ଘୋଡ଼ାଇ ରୁହନ୍ତି। ଆଉ ଶୀତଦିନେ ତାଙ୍କୁ ଅସହ୍ୟ ଗରମ ଲାଗିଥାଏ, ଯାହାରୁ ମୁକ୍ତି ପାଇବାକୁ ସେ ପାଣିରେ ବୁଡ଼ି ରହନ୍ତି।ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ଡେରୋଲି ଅହୀର ଗାଁର ୭୦ ବର୍ଷୀୟ ସନ୍ତଲାଲ ଏବେ ନିଜର ଏହି ନିଆରା ଶାରୀରିକ ସ୍ଥିତି ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଚଣ୍ଡ ଖରାରେ ମଧ୍ୟ ସେ ୪ରୁ ୫ଟି ରେଜେଇ ଓ କମ୍ବଳ ଘୋଡ଼ାଇ ରୁହନ୍ତି। ଥଣ୍ଡା ଅଧିକ ଲାଗିଲେ ନିଆଁ ପାଖରେ ବସି ଦେହ ସେକନ୍ତି। ଅନ୍ୟପଟେ ଶୀତଦିନରେ ତାଙ୍କୁ ଗରମ ଲାଗୁଥିବାରୁ ସେ ସକାଳୁ ପୋଖରୀରେ ସ୍ନାନ କରିବା ସହ ଅନେକ ସମୟ ପାଣିରେ ହିଁ ବିତାଇଥାନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରବଳ ଗରମରେ ମଧ୍ୟ ତାଙ୍କ ଦେହରୁ ଝାଳ ବାହାରେ ନାହିଁ। ଏହି ଅସାଧାରଣ ସ୍ଥିତିର କାରଣ ଜାଣିବା ପାଇଁ ସନ୍ତଲାଲ ଅନେକ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇଛନ୍ତି। ବିଭିନ୍ନ ସ୍ଥାନରୁ ଆସିଥିବା ଡାକ୍ତରୀ ଦଳ ମଧ୍ୟ ତାଙ୍କୁ ଯାଞ୍ଚ କରିଥିଲେ, କିନ୍ତୁ ଏହି ଅଜବ ଶାରୀରିକ ସ୍ଥିତିର ସ୍ପଷ୍ଟ କାରଣ ଜାଣିପାରିନଥିଲେ।ପରିବାର ସଦସ୍ୟଙ୍କ କହିବା ଅନୁସାରେ, ସନ୍ତଲାଲ କୌଣସି ପ୍ରକାର ଅଭିନୟ କିମ୍ବା ନାଟକ କରୁନାହାନ୍ତି। ଏହା ତାଙ୍କର ସ୍ୱାଭାବିକ ଶାରୀରିକ ଅବସ୍ଥା। ତାଙ୍କର ଏହି ନିଆରା ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦେଇ ସମ୍ମାନିତ କରିଥିବା ଜଣାପଡ଼ିଛି।ତେବେ ସନ୍ତଲାଲଙ୍କ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି। ତାଙ୍କୁ କେହି କେହି ମଜାଳିଆ ଢଙ୍ଗରେ “ପାଣିପାଗ ବିଭାଗ” ବୋଲି ମଧ୍ୟ ଡାକୁଛନ୍ତି। ଯଦିଓ ତାଙ୍କର ଏହି ଅସାଧାରଣ ଅବସ୍ଥା ପଛରେ ବୈଜ୍ଞାନିକ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି କାହାଣୀ ବର୍ତ୍ତମାନ ସୋସିଆଲ୍ ମିଡିଆ ଓ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।