ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପରିସ୍ଥିତି ରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ପାରାଦ୍ବୀପ ରେ ପହଞ୍ଚିଛି ତୈଳ ଜାହାଜ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପରିସ୍ଥିତି ରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ପାରାଦ୍ବୀପ ରେ ପହଞ୍ଚିଛି ତୈଳ ଜାହାଜ, MT SANMAR HERALD। ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଜାହାଜଟି ସୁରକ୍ଷିତ ଭାବେ ପାରାଦୀପ ବନ୍ଦରର ଜାହାଜ ବନ୍ଦରର ସିଙ୍ଗିଲ ମୋରିଂ ପ‌ଏଣ୍ଟରେ ପହଞ୍ଚି କୃଡ୍ ଅଏଲ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍କୁ ପଠାଇଛି।

ସୂଚନା ଅନୁସାରେ, ଜାହାଜଟି ଇରାକର ବାସରାରୁ ବାସରା ମିଡିୟମ୍ ଓ ବାସରା ହେଭି ଅଶୋଧିତ ତୈଳ ଲୋଡ୍ କରିବା ପରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ପ୍ରଭାବିତ ଅଞ୍ଚଳ ଦେଇ ଯାତ୍ରା କରିଥିଲା। ଏହି ସମୟରେ ହର୍ମୁଜ ପ୍ରଣାଳୀରେ ସୁରକ୍ଷା ସଙ୍କଟ ଯୋଗୁଁ ଜାହାଜଟି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।ଭାରତୀୟ ନୌସେନାର ସମନ୍ୱୟ ଓ ନିରୀକ୍ଷଣରେ ଜାହାଜଟି ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାର ପ୍ରୟାସ କରିଥିଲା। ଯୁଦ୍ଧ ପରିସ୍ଥିତି ମଧ୍ୟରେ ଜାହାଜ ଉପରେ ଆକ୍ରମଣ ହୋଇଥିବା ବେଳେ ଶାର୍ପନେଲ୍ ଆଘାତରେ ଜାହାଜର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ତଥାପି ଜାହାଜର ମାଷ୍ଟର ଓ କ୍ରୁ ସଦସ୍ୟମାନେ ଅସାଧାରଣ ସାହସ, ଧୈର୍ଯ୍ୟ ଏବଂ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।ପରେ ହର୍ମୁଜ ପ୍ରଣାଳୀ ପୁନର୍ବାର ଚଳାଚଳ ପାଇଁ ଖୋଲାଯିବା ପରେ ଜାହାଜଟି ପୁଣିଥରେ ଯାତ୍ରା ଆରମ୍ଭ କରି ସୁରକ୍ଷିତ ଭାବେ ପାରାଦୀପ ବନ୍ଦରରେ ପହଞ୍ଚିବାରେ ସଫଳ ହୋଇଥିଲା। ଏହି ସମଗ୍ର ଅଭିଯାନ ସମୟରେ ଜାହାଜର ସମସ୍ତ ଅଧିକାରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ସବୁଠାରୁ ଆଶ୍ୱସ୍ତିକର ଖବର।

ପାରାଦୀପରେ ପହଞ୍ଚିବା ପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ SERPLର ପ୍ରତିନିଧିମାନେ, ହାର୍ବର ମାଷ୍ଟରଙ୍କ ସମେତ, ଜାହାଜର ମାଷ୍ଟର ଓ କ୍ରୁ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମାରକୀ ପ୍ରଦାନ କରି ସେମାନଙ୍କ ସାହସିକତା ଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ସମ୍ମାନିତ କରିଥିଲେ।ବର୍ତ୍ତମାନ ଜାହାଜରୁ ଅଶୋଧିତ ତୈଳ ସିଙ୍ଗିଲ ମୋରିଂ ପ‌ଏଣ୍ଟ ପାଇପଲାଇନ୍ ମାଧ୍ୟମରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍କୁ ପଠାଯାଉଛି। ଯୁଦ୍ଧର ଛାୟା ମଧ୍ୟରେ ଏହି ଜାହାଜର ସୁରକ୍ଷିତ ଆଗମନ ଭାରତର ଯୋଗାଣ ବ୍ୟବସ୍ଥା ଏବଂ ଭାରତୀୟ ନୌସେନାର ସମନ୍ୱିତ କାର୍ଯ୍ୟକୁଶଳତାର ଏକ ଉଲ୍ଲେଖନୀୟ ଉଦାହରଣ ବୋଲି ମନେ କରାଯାଉଛି |