ଥଲାପତିଙ୍କ ବଡ ବିଜୟ

ତାମିଲନାଡୁ ରାଜନୀତିରେ ଏଥର ଦେଖିବାକୁ ମିଳୁଛି ବଡ଼ ପରିବର୍ତ୍ତନର ଚିତ୍ର। ବର୍ଷ ଧରି ରାଜ୍ୟରେ ପ୍ରଭାବ ରଖିଆସୁଥିବା ଡିଏମ୍‌କେ ଓ ଏଆଇଏଡିଏମ୍‌କେକୁ ପଛେଇ ଦେଇ ଆଗକୁ ଆସୁଛି ଅଭିନେତା ବିଜୟ ଥାଲାପତିଙ୍କ ଦଳ ଟିଭିକେ। ଭୋଟ ଗଣତି ଚାଲିଥିବା ବେଳେ ଟିଭିକେ ୪ଟି ଆସନରେ ଜିତିସାରିଛି ଏବଂ ୧୦୩ଟି ଆସନରେ ଆଗୁଆ ରହିଛି। ଏହାକୁ ନେଇ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଚେନ୍ନାଇର ବିରୁଗମ୍ବକ୍କମ ଆସନ। ଏଠାରୁ ଟିଭିକେ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଆର. ସବରିନାଥନ। ସେ ହେଉଛନ୍ତି ବିଜୟଙ୍କ ବ୍ୟକ୍ତିଗତ କାର ଡ୍ରାଇଭର ରାଜେନ୍ଦ୍ରନଙ୍କ ପୁଅ। ଗଣତିର ଶେଷ ଖବର ସୁଦ୍ଧା ସବରିନାଥନ ୨୬ ହଜାର ୩୩୩ ଖଣ୍ଡ ଭୋଟ୍ ପାଇ ଆଗରେ ରହିଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ୱୀ ଡିଏମ୍‌କେର ପ୍ରଭାକର ରାଜା ୧୮ ହଜାର ୩୩୧ ଭୋଟ୍ ପାଇଛନ୍ତି।

ସବରିନାଥନଙ୍କ ବାପା ରାଜେନ୍ଦ୍ରନ ପ୍ରାୟ ୩୦ ବର୍ଷ ଧରି ବିଜୟଙ୍କ ବ୍ୟକ୍ତିଗତ କାର ଚଲାଇଥିଲେ। ବର୍ତ୍ତମାନ ସେ ବିଜୟଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଛନ୍ତି। ବିଜୟ ଯେତେବେଳେ ସବରିନାଥନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ, ସେତେବେଳେ ବାପା-ପୁଅ ଭାବବିହ୍ୱଳ ହୋଇ ମଞ୍ଚ ଉପରେ କାନ୍ଦି ପକାଇଥିଲେ। ସେହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ବିଜୟଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ଅନେକ ନେତା ମଧ୍ୟ ପ୍ରଶଂସା କରିଥିଲେ । ଅନ୍ୟପଟେ, ଡିଏମ୍‌କେ ୨ଟି ଆସନରେ ଜିତିଥିବା ବେଳେ ୬୫ଟି ଆସନରେ ଆଗରେ ରହିଛି। ଏଆଇଏଡିଏମ୍‌କେ ୬୦ଟି ଆସନରେ ଆଗୁଆ ରହିଛି। ଏହି ଫଳାଫଳ ତାମିଲନାଡୁରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।