ଧୂମପାନ କରୁଥିବା ବ୍ୟକ୍ତିଙ୍କ ପାଖରେ ବସୁଥିଲେ ବି ବିପଦ

ଭୁବନେଶ୍ୱର: ସାଧାରଣତଃ ଲୋକମାନେ ଭାବନ୍ତି ଯେ ସିଗ୍ରେଟ୍ ଧୁମ୍ରପାନ କରୁଥିବା ବ୍ୟକ୍ତିଠାରୁ କିଛି ଦୂରେ ରହିଲେ ସେମାନେ ସୁରକ୍ଷିତ ରହିପାରିବେ। କିନ୍ତୁ ଏକ ନୂତନ ସ୍ୱାସ୍ଥ୍ୟ ରିପୋର୍ଟ ଏହି ଧାରଣାକୁ ପୂରାପୂରି ଭୁଲ୍ ସାବ୍ୟସ୍ତ କରିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଧୁମ୍ରପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ମାତ୍ର ରହିବାରୁ ମଧ୍ୟ ଅନ୍ୟମାନେ ଗୁରୁତର ରୋଗର ଝୁମ୍ପରେ ପଡ଼ୁଛନ୍ତି।

ଡାକ୍ତରମାନେ କହୁଛନ୍ତି ଯେ “ସେକେଣ୍ଡ ହାଣ୍ଡ ସ୍ମୋକିଙ୍ଗ” ବା ପରୋକ୍ଷ ଧୁମ୍ରପାନ ମାନବ ଶରୀରର ପ୍ରାୟ ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଏ। ଧୁମ୍ରପାନ କରୁଥିବା ବ୍ୟକ୍ତି ଛାଡୁଥିବା ଧୁଆଁ ଅନ୍ୟମାନଙ୍କ ଶରୀରକୁ ଅଜାଣରେ ପ୍ରବେଶ କରିଥାଏ ଏବଂ ହୃଦୟ, ଫୁସଫୁସ, ମସ୍ତିଷ୍କ ଓ ପ୍ରଜନନ ତନ୍ତ୍ରକୁ ଗୁରୁତର ପ୍ରଭାବ ପକାଏ। କେବଳ ଅଳ୍ପ ସମୟର ସଂସ୍ପର୍ଶ ମଧ୍ୟ ହୃଦ୍‌ରୋଗ ଓ ଷ୍ଟ୍ରୋକ୍ ଭଳି ଜଟିଳ ସମସ୍ୟାର ଝୁମ୍ପ ବଢ଼ାଇଦିଏ, ବିଶେଷକରି ଯେମାନଙ୍କର ପୂର୍ବରୁ ରକ୍ତଚାପ, ଡାଏବେଟିଜ୍ କିମ୍ବା କଲେଷ୍ଟେରଲ୍ ସମସ୍ୟା ରହିଛି।

ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ, ଏହି ଧୁଆଁରେ ହଜାରରୁ ଅଧିକ ବିଷାକ୍ତ ରାସାୟନିକ ଥାଏ, ଯାହାର ଅନେକଟି କ୍ୟାନ୍ସର ସୃଷ୍ଟିକାରୀ। ଧୁମ୍ରପାନ କରୁଥିବା ବ୍ୟକ୍ତିଠାରୁ ଦୂରେ ଥିଲେ ମଧ୍ୟ ଏହି ବିଷାକ୍ତ କଣିକା ବାୟୁରେ ରହି ଅନ୍ୟମାନଙ୍କ ଶରୀରକୁ ପହଞ୍ଚୁଥାଏ।ବିଶେଷଜ୍ଞମାନେ ସତର୍କ କରି କହିଛନ୍ତି ଯେ ଶିଶୁ, ଗର୍ଭବତୀ ମହିଳା ଓ ବୃଦ୍ଧମାନେ ଏହାରୁ ସବୁଠାରୁ ଅଧିକ ପ୍ରଭାବିତ। ଶିଶୁମାନଙ୍କ ମଧ୍ୟରେ ଶ୍ୱାସକଷ୍ଟ, ଆସ୍ଥମା ଓ ବିଭିନ୍ନ ସଂକ୍ରମଣର ସମସ୍ୟା ବଢ଼ୁଥିବା ବେଳେ, ଗର୍ଭବତୀ ମହିଳାଙ୍କ ପାଇଁ ଏହା ଗର୍ଭସ୍ଥ ଶିଶୁର ବିକାଶରେ ବିପରୀତ ପ୍ରଭାବ ପକାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ପରୋକ୍ଷ ଧୁମ୍ରପାନ ପାଇଁ “କୌଣସି ସୁରକ୍ଷିତ ଦୂରତା” ନାହିଁ। ମାସ୍କ ପିନ୍ଧିବା କିମ୍ବା କିଛି ଦୂରେ ରହିବା ମାତ୍ରରେ ପୂରା ସୁରକ୍ଷା ମିଳୁନାହିଁ। ଏହିପରି ପରିସ୍ଥିତିରେ, ଧୁମ୍ରପାନ ହେଉଥିବା ସ୍ଥାନରୁ ସମ୍ପୂର୍ଣ୍ଣ ଦୂରେ ରହିବାକୁ ହିଁ ସବୁଠାରୁ ସୁରକ୍ଷିତ ବିକଳ୍ପ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।