
ଓଡ଼ିଶାରେ ରେଳ ସଂଯୋଗକୁ ଆହୁରି ଶକ୍ତିଶାଳୀ କରିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ପୋତ୍ତନୁର–ଧାନବାଦ ମଧ୍ୟରେ ନୂତନ ଅମୃତ ଭାରତ ଟ୍ରେନ୍ ସେବାକୁ ଅନୁମୋଦନ ମିଳିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି। ଏହି ଟ୍ରେନ୍ ଓଡ଼ିଶା, ତାମିଲନାଡୁ ଓ ଝାଡ଼ଖଣ୍ଡ ମଧ୍ୟରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ।
ଟ୍ରେନ୍ଟି ଓଡ଼ିଶାର ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ସହିତ ମୋଟ ୯ଟି ଷ୍ଟେସନ ଦେଇ ଚାଲିବ। ଏହା ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ବହୁତ ସୁବିଧା ପାଇବେ। ଦକ୍ଷିଣ ଭାରତ ସହିତ ଅନ୍ୟାନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ଛାତ୍ର, ଶ୍ରମିକ ଓ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହା ବଡ଼ ସହାୟତା ହେବ ବୋଲି ଜଣାପଡୁଛି। ନୂତନ ଅମୃତ ଭାରତ ଟ୍ରେନ୍ ଆଞ୍ଚଳିକ ସଂଯୋଗକୁ ମଜବୁତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।