
ବିହାର ରାଜନୀତିରେ ଆସିପାରେ ବଡ଼ ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନା ଛାଡ଼ି ଦିଲ୍ଲୀ ରାଜନୀତିକୁ ଯିବେ ବୋଲି ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁସାରେ ସେ ରାଜ୍ୟସଭାକୁ ପଠାଯାଇପାରନ୍ତି। ଏହା ସହିତ ବିହାରରେ ସରକାରୀ ସଂରଚନାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି।
ଖବର ଅନୁଯାୟୀ, ନୀତୀଶ କୁମାର ଦିଲ୍ଲୀ ଯାଇଥିଲେ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ। ସେହିପରି ମୁଖ୍ୟମନ୍ତ୍ରୀ ପଦଟି ଭାରତୀୟ ଜନତା ପାର୍ଟି (ବିଜେପି) ହାତକୁ ଯିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଜନତା ଦଳ (United) କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ସୂଚନା ମିଳିଛି।
ଆଜି ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ରାଜନୈତିକ ମହଳରେ ଆଲୋଚନା ଚାଲିଛି। ସେହିପରି ନିତିନ ନବୀନ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ। ପ୍ରାର୍ଥୀପତ୍ର ଦାଖଲ ସମୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ସାହ ଉପସ୍ଥିତ ରହିପାରନ୍ତି ବୋଲି ସୂତ୍ରରୁ ଖବର ମିଳିଛି।ଯଦି ଏହି ପରିବର୍ତ୍ତନ ଘଟେ, ତେବେ ବିହାର ରାଜନୀତିରେ ଏହା ଗୋଟିଏ ବଡ଼ ରାଜନୈତିକ ଘଟଣା ହିସାବରେ ଦେଖାଯିବ।