ସୋସିଆଲ ମିଡିଆ ଉପରେ ରୁଷର କଡା ନଜର, ଆମେରିକୀୟ ଆପ୍‌ଗୁଡ଼ିକୁ ଲଗିଲା ତାଲା

ରୁଷ ସରକାର ଆମେରିକାର ପ୍ରମୁଖ ସୋସିଆଲ ମିଡିଆ ଆପ୍‌ଗୁଡ଼ିକୁ ନେଇ ବଡ଼ ପଦକ୍ଷେପ ନେଇଛି। ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ ଏବେ ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍‌ ଭଳି ଲୋକପ୍ରିୟ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ବ୍ୟାନ କରାଯାଇଛି। ଏହା ସହିତ ରୁଷର ନାଗରିକମାନେ ଏହି ସବୁ ଆପ୍‌ର ବ୍ୟବହାର କରିପାରିବେ ନାହିଁ।

ବୁଧବାର ଦିନ ଜାରି ହୋଇଥିବା ଏହି ନିଷ୍ପତ୍ତିକୁ ସରକାର ଜାତୀୟ ସୁରକ୍ଷା ସହ ଯୋଡ଼ା ହୋଇଛି | ସରକାରଙ୍କ କହିବା ଅନୁଯାୟୀ, ବିଦେଶୀ ପ୍ଲାଟଫର୍ମ ମାଧ୍ୟମରେ ଭୁଲ ଖବର ପ୍ରଚାର ପ୍ରସାର ଓ ତଥ୍ୟ ଲିଙ୍କ ଦିଆଯାଉଛି ବୋଲି ଆଶଙ୍କା ବଢ଼ିଥିବାରୁ ଏପରି ପଦକ୍ଷେପ ଆବଶ୍ୟକ ହୋଇପଡ଼ିଛି। ରୁଷ ଚାହୁଁଛି ଯେ ଦେଶର ଲୋକମାନେ ସରକାରୀ ନିୟନ୍ତ୍ରଣ ଅଧୀନରେ ଥିବା ଦେଶୀୟ ପ୍ଲାଟଫର୍ମ ବ୍ୟବହାର କରନ୍ତୁ।

ମିଡିଆ ରିପୋର୍ଟ ଅନୁସାରେ, କେବଳ ସୋସିଆଲ ମିଡିଆ ନୁହେଁ ବରଂ ଅନ୍ତର୍ଜାତୀୟ ସମ୍ବାଦ ସଂଗଠନମାନଙ୍କୁ ମଧ୍ୟ ଲକ୍ଷ୍ୟ କରାଯାଇଛି। ବିବିସି, ଡଏଚେ ୱେଲେ, ରେଡିଓ ଫ୍ରି ଇଉରୋପ୍ ଓ ରେଡିଓ ଲିବର୍ଟି ଭଳି ସଂଗଠନର ୱେବସାଇଟ୍‌ଗୁଡ଼ିକୁ ବ୍ଲକ୍ କରାଯାଇଥିବା କୁହାଯାଉଛି। ବେନାମୀ ଭାବରେ ବ୍ରାଉଜିଂ ପାଇଁ ବ୍ୟବହୃତ ଟୋର୍ ବ୍ରାଉଜରକୁ ମଧ୍ୟ ଅବରୋଧ କରାଯାଇଛି।

ରୁଷ ଓ ଆମେରିକା ସମ୍ପର୍କ ମଧ୍ୟରେ ତିବ୍ରତା ବଢ଼ୁଥିବା ସମୟରେ ଏହି ପଦକ୍ଷେପକୁ ଏକ ଡିଜିଟାଲ ପ୍ରତିଶୋଧ ଭାବେ ଦେଖାଯାଉଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ,ଏହା ରୁଷରେ ଇଣ୍ଟରନେଟ୍ ସ୍ୱାଧୀନତା ଉପରେ ଆଉ ଏକ କଠିନ ପରିବେଶ ସୃଷ୍ଟି କରିପାରେ | ଏହି ନିଷ୍ପତ୍ତିର ପ୍ରଭାବ କେବଳ ସାଧାରଣ ଲୋକଙ୍କୁ ନୁହେଁ, ବ୍ୟବସାୟିକ ଓ କନ୍ଟେଣ୍ଟ କ୍ରିଏଟର୍‌ମାନଙ୍କୁ ମଧ୍ୟ ପଡ଼ିବ। ବର୍ତ୍ତମାନ ରୁଷର ଡିଜିଟାଲ ପରିବେଶ ନୂଆ ଦିଗକୁ ମୁହଁ ଦେଉଛି, ଯେଉଁଠାରେ ବିଦେଶୀ ପ୍ଲାଟଫର୍ମ ପାଇଁ ସ୍ଥାନ କମିଯାଉଛି।