ନକ୍ସଲମୁକ୍ତ ଓଡ଼ିଶା ସୃଷ୍ଟି ପାଇଁ ସରକାର ନୂଆ ରୋଡମ୍ୟାପ୍ ଘୋଷଣା କରିଛି। ଗୃହ ବିଭାଗ ପ୍ରକାଶ କରିଥିବା ନୂଆ ବିଜ୍ଞପ୍ତିରେ, ଥଇଥାନ ଓ ପୁନର୍ବାସ ପ୍ୟାକେଜ୍ରେ ସର୍ବଭାରତୀୟ ତହଲକାରେ କାମ କରୁଥିବା କ୍ୟାଡରଙ୍କ ପାଇଁ ଅତିରିକ୍ତ ନିୟମକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂତନ ନୀତିଅନୁଯାୟୀ, ଯେକୌଣସି ନକ୍ସଲ ଯଦି ଓଡ଼ିଶାର ନିବାସୀ ନ ହୋଇଥିଲେ ମଧ୍ୟ, ଦେଶର ଅନ୍ୟ ଅଞ୍ଚଳରୁ ଆସି ଏଠାରେ କାର୍ଯ୍ୟରତ ଥିଲେ ସେମାନେ ମଧ୍ୟ ସମସ୍ତ ପୁନର୍ବାସ ସୁବିଧା ଲଭ କରିପାରିବେ। ନୂଆ ରୋଡମ୍ୟାପ୍ରେ ମୁଣ୍ଡଜାମିନ ପୁରସ୍କାରରେ ବଡ଼ ପରିମାଣର ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ କମିଟି କିମ୍ବା ପଲିଟବ୍ୟୁରୋ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶିକୁ ୧ କୋଟି ୧୦ ଲକ୍ଷ ଟଙ୍କାରେ ନିର୍ଣ୍ଣୟ କରାଯାଇଛି। ରାଜ୍ୟ କମିଟି ସଦସ୍ୟଙ୍କ ପାଇଁ ୫୫ ଲକ୍ଷ ଓ ଆଞ୍ଚଳିକ କମିଟି ସଦସ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କା ପୁରସ୍କାର ଧାର୍ଯ୍ୟ ହୋଇଛି। ଏହା ସହ, ୫ ଲକ୍ଷ ଟଙ୍କାଠାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଯଦି ଆତ୍ମସମର୍ପଣ କରନ୍ତି, ତେବେ ସେମାନଙ୍କୁ ଅତ୍ୟାଧିକ ୧୦ ଲକ୍ଷ ଟଙ୍କା ଏକକାଳୀନ ସହଯୋଗରେ ଫିକ୍ସଡ୍ ଡେପୋଜିଟ୍ ଭାବରେ ପ୍ରଦାନ କରାଯିବ।

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ତାଲିକା ଜାରି କରିଛନ୍ତି। ଏଲଏମଜି ବନ୍ଧୁକ ପାଇଁ ୪ଲକ୍ଷ ୯୫ହଜାର ଟଙ୍କା, ଏକେ-୪୭ ପାଇଁ ୩ଲକ୍ଷ ୩୦ହଜାର ଟଙ୍କା, ଇନସାସ୍ ବା ଏସଏଲଆର ରାଇଫଲ୍ ପାଇଁ ୧ଲକ୍ଷ ୬୫ହଜାର ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ। ଏପରିକି ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତିଟି ଗୁଳି ପାଇଁ ୫୫ ଟଙ୍କାର ପୁରସ୍କାର ରଖାଯାଇଛି। କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ମଧ୍ୟ ସମସ୍ତଙ୍କୁ ଅତିରିକ୍ତ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ରାଜ୍ୟ ଗୃହ ବିଭାଗ ଗତ ୨୦୨୫ ନଭେମ୍ବର ୨୭ ତାରିଖରେ ଜାରି ସଂଶୋଧିତ ପୁନର୍ବାସ ନୀତିକୁ ମାତ୍ର ତିନିମାସ ମଧ୍ୟରେ ପୁଣିଥରେ ସଂଶୋଧନ କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛନ୍ତି।