ପରାଶର କ୍ଷେତ୍ର ପାରାଦ୍ୱୀପର ପବିତ୍ର ବେଳାଭୂମିରେ ଆସନ୍ତା ଦିନରେ ଭବ୍ୟ ଓ ଦିବ୍ୟ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ” ଆୟୋଜିତ ହେବାକୁ ଯାଉଛି। ନବଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଓ ଅଲୌକିକ ଲୀଳାକୁ ଉଦ୍ଘାଟିତ କରାଯିବ।
ଏହି ମହୋତ୍ସବ ଅବସରରେ ମହାପ୍ରଭୁଙ୍କ ୩୨ ବେଶ, ୫୬ ଭୋଗ, ଶ୍ରୀବିଷ୍ଣୁ ବିଶ୍ୱ ଶାନ୍ତି ମହାଯଜ୍ଞ, ଶ୍ରୀଜଗନ୍ନାଥ ଚରିତ୍ରାମୃତ ପାଠ ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାଧୁସନ୍ଥ, ଧାର୍ମିକ ବିଦ୍ୱାନ ଓ ଜଗନ୍ନାଥ ଭକ୍ତମାନେ ଏହି ମହୋତ୍ସବରେ ଯୋଗ ଦେବେ। ମହୋତ୍ସବ ସମୟରେ ପ୍ରତିଦିନ ଆନନ୍ଦ ବଜାରରେ ମହାପ୍ରସାଦ ମିଳିବା ସହ ପାରାଦ୍ୱୀପ ବେଳାଭୂମି ନବଦିନ ପାଇଁ ଶ୍ରୀକ୍ଷେତ୍ର ପୁରୀର ଅନୁଭୂତି ଦେବ ବୋଲି ଆୟୋଜକମାନେ କହିଛନ୍ତି।
ଶ୍ରୀକ୍ଷେତ୍ରର ଅଭିଜ୍ଞ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମେ ୨୭ ତାରିଖରୁ ଏହି ଦିବ୍ୟ ଓ ଭବ୍ୟ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବକୁ ନେଇ ପାରାଦ୍ୱୀପ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପରେ ଏକ ବୃହତ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।