
31.01.2026
ବିଜେଡି ରାଜନୀତିରେ ଆଜି ହଠାତ୍ ଚର୍ଚ୍ଚା ଜୋରଦାର ହେଲା କଳିକେଶ ନାରାୟଣ ସିଂହଦେଓଙ୍କ ନବୀନ ନିବାସରେ ପ୍ରବେଶକୁ ନେଇ | ଏହି ସମୟରେ ପୂର୍ବରୁ ପ୍ରତାପ ଜେନା ଓ ଦେବୀ ମିଶ୍ର ମଧ୍ୟ ନବୀନ ନିବାସରେ ଥିବାରୁ ରାଜନୀତିକ ଚର୍ଚ୍ଚା ବଢ଼ିଛି | କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଯେଉଁ ଆକଳନ ଦୁଇ ଦିନ ଧରି ଚଲୁଥିଲା, ଆଜିର ପଦକ୍ଷେପ ଏହାକୁ ଆହୁରି ଜୋରଦାର କରିଛି |
ଗତ ୨୩ ତାରିଖରେ କଳିକେଶଙ୍କ ବାପା ଏ.ୟୁ. ସିଂହଦେଓ ମଧ୍ୟ ନବୀନ ନିବାସ ଯାଇଥିବା ହେତୁ ଏପରି ଚର୍ଚ୍ଚା ତୀବ୍ର ହୋଇଥିଲା | ବରିଷ୍ଠ ନେତା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ମଞ୍ଚରୁ ଖୋଲାଖୋଲି କଳିକେଶଙ୍କୁ ନେତୃତ୍ୱ ଦେବାକୁ ମନୋନୀତ କରିବା ଉଚିତ ବୋଲି କହିଥିଲେ |
କିନ୍ତୁ ଏହି ବୟାନକୁ ସ୍ପଷ୍ଟ ଭାବେ ବିରୋଧ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଓ ଗଣେଶ୍ୱର ବେହେରା | ସେମାନେ କହିଛନ୍ତି ନିର୍ବାଚିତ ସମସ୍ତ ବିଧାୟକ ନେତୃତ୍ୱ ପାଇଁ ସମାନ ଯୋଗ୍ୟ | ଆମ ସଭାପତି ସକ୍ଷମ |ଉତ୍ତରଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ ? ଏହି ପରିସ୍ଥିତିରେ ନବୀନ ପଟ୍ଟନାୟକ କଳିକେଶଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଦେବେ କି , ସେଥିଲାଗି ସମସ୍ତଙ୍କ ନଜର ଏବେ ନବୀନ ନିବାସ ଉପରେ |