୧୦୨୬ ହୋଇପାରେ ବଡ ଯୁଦ୍ଧ!

ପାକିସ୍ତାନ ବିରୋଧରେ ଭାରତର ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’କୁ ୭ ମାସ ବିତିଗଲାଣି। କିନ୍ତୁ ଏହି ଅଭିଯାନରେ ପାକିସ୍ତାନ ଯେଉଁ ଭୟାବହ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା, ତାହାକୁ ଏପର୍ଯ୍ୟନ୍ତ ପୂରଣ କରିପାରିନାହିଁ। ବିଶେଷକରି ଭାରତ ଆକ୍ରମଣରେ କ୍ଷତିଗ୍ରସ୍ତ ପାକିସ୍ତାନର ୧୧ଟି ପ୍ରମୁଖ ବିମାନଘାଟି (ଏୟାରବେସ୍‌) ଏବେ ସୁଦ୍ଧା ସଂପୂର୍ଣ୍ଣ ଭାବେ ମରାମତି ହୋଇନଥିବା ଉପଗ୍ରହ ଚିତ୍ର ଓ ଗୁଇନ୍ଦା ସୂଚନାରୁ ସ୍ପଷ୍ଟ ହୋଇଛି।

ପ୍ରତିରକ୍ଷା ବିଶେଷଜ୍ଞ ସନ୍ଦୀପ ଉନ୍ନିଥାନଙ୍କ ମତାନୁସାରେ, ଭାରତର ଆକ୍ରମଣରେ ପାକିସ୍ତାନୀ ଏୟାରବେସ୍‌ଗୁଡିକ ଯେଉଁ ପରିମାଣର କ୍ଷତିଗ୍ରସ୍ତ ହୋଇଛି, ତାହାକୁ ମରାମତି କରିବା ଏକ ସମୟସାପେକ୍ଷ ଓ ଜଟିଳ ପ୍ରକ୍ରିୟା। ଏହାର ସ୍ପଷ୍ଟ ପ୍ରମାଣ ଗତ ସପ୍ତାହରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍‌ ଦାରଙ୍କ ସ୍ୱୀକାରୋକ୍ତି, ଯେଉଁଥିରେ ସେ ଭାରତୀୟ ଆକ୍ରମଣରେ ରାୱଲପିଣ୍ଡି ସ୍ଥିତ ନୁର ଖାନ ବାୟୁସେନା ଘାଟି କ୍ଷତିଗ୍ରସ୍ତ ହୋଇଥିବା କଥା ମାନିଥିଲେ।

ଜିଓ-ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ୍‌ ସାଇମନ ନଭେମ୍ବର ମାସରେ ସେୟାର କରିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନ ଏପର୍ଯ୍ୟନ୍ତ ନୁର ଖାନ ବାୟୁସେନା ଘାଟିକୁ ମରାମତି କରିପାରିନାହିଁ। ସାମରିକ ରଣନୀତି ଦୃଷ୍ଟିରୁ ଏହି ଏୟାରବେସ୍‌ ପାକିସ୍ତାନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବା ସତ୍ତ୍ୱେ ‘ଅପରେସନ ସିନ୍ଦୂର’ରେ ଏହା ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା।

ଉପଗ୍ରହ ଚିତ୍ରରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଭୋଲାରି ଏୟାରବେସ୍‌ର ରନୱେ ଉପରେ ଏବେ ସୁଦ୍ଧା ତାର୍ପୋଲିନ ବିଛାଯାଇଛି। ଭାରତ ସୀମା ନିକଟରେ ଥିବା ମୁରିଦ ଏୟାରବେସ୍‌ର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରକୁ ଲାଲ୍‌ ତାର୍ପୋଲିନରେ ଘୋଡ଼ାଯାଇଥିବା ଦେଖାଯାଇଛି। ମୁଶାଫ୍‌ ଏୟାରବେସ୍‌ କ୍ଷତିଗ୍ରସ୍ତ ହେବା ପରେ ଏହାର ଅପରେସନ ସୀମିତ କରାଯାଇଛି। ଏହାର ରନୱେରେ ଦୁଇଟି ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଗର୍ତ୍ତର ବ୍ୟାସ ପ୍ରାୟ ୧୫ ଫୁଟ ହେବାର ଆକଳନ କରାଯାଇଛି।

ସେହିପରି ଜାକୋବାବାଦ ଏୟାରବେସ୍‌ର ରେଡାର ଓ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ଏବେ ଅଫଲାଇନ୍‌ ରଖାଯାଇଛି। ଏହି ଏୟାରବେସ୍‌ ପାକିସ୍ତାନର ସବୁଠାରୁ ଅତ୍ୟାଧୁନିକ ଘାଟି ଭାବେ ପରିଚିତ ଥିଲା, ଯେଉଁଠାରେ ଜେଏଫ୍‌-୧୭ ବ୍ଲକ୍-୨ ଓ ଏଫ୍‌-୧୬ ଯୁଦ୍ଧବିମାନ ମୁତୟନ ଥିଲେ। ରଫିକ୍‌, ସୁକ୍କୁର, ଚୁନିଆନ, ପାସ୍‌ରୁର୍‌, ସିଆଲକଟ୍‌ ଓ ସକର୍ଦୁ ଏୟାରବେସ୍‌ଗୁଡିକ ମଧ୍ୟ ଅପରେସନ ସିନ୍ଦୂର ସମୟରେ କ୍ଷତିଗ୍ରସ୍ତ ହୋଇଥିଲେ, ଯାହାର ମରାମତି ଏପର୍ଯ୍ୟନ୍ତ ହୋଇନାହିଁ।

ଏହି ପରିପ୍ରେକ୍ଷୀତରେ ଆମେରିକାର ଏକ ରିପୋର୍ଟରେ ପ୍ରକାଶ କରିଛି ଯେ, ୨୦୨୬ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଛି। ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ତାହାର କ୍ଷତିଗ୍ରସ୍ତ ଏୟାରବେସ୍‌ଗୁଡିକୁ ସୁଧାରିପାରିନଥିବା ବେଳେ, ଯୁଦ୍ଧ ପାଇଁ ପ୍ରସ୍ତୁତି କରିବା ତାହା ପାଇଁ ପ୍ରାୟ ଅସମ୍ଭବ ବୋଲି ସାମରିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଆମେରିକାର ‘କାଉନସିଲ୍‌ ଅନ୍‌ ଫରେନ୍‌ ରିଲେସନ୍‌’ ରିପୋର୍ଟ ଅନୁସାରେ, ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ୨୦୨୬ରେ ଭାରତ–ପାକିସ୍ତାନ ମଧ୍ୟରେ ତଣାବ ବଢ଼ିପାରେ, କିନ୍ତୁ ପାକିସ୍ତାନର ଏୟାରବେସ୍‌ ମରାମତି ପାଇଁ ସମ୍ପୂର୍ଣ୍ଣ ୨୦୨୬ ବର୍ଷ ବିତିଯିବା ସମ୍ଭାବନା ରହିଛି।