ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଜାରି ରହିଛି । ତେବେ ଏହି କ୍ରମରେ ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜବତ କରିଛି । ପୁରୀ ସଦର ଥାନା ଅନ୍ତର୍ଗତ ଖଡିପଦା ଗ୍ରାମରେ ଜୁଆଖେଳ ଚାଲିଥିବା ବେଳେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଧାନ୍ତ ଅପରାଧୀ ଜଟିଆ ଓରଫ ସୋମନାଥ ରାଉତ ସହିତ ୧୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୭ ଲକ୍ଷ ୭୦ ହଜାର ୬ ଶହ ଟଙ୍କା ପୋଲିସ ଜବତ କରିଛି । ଏଥିସହ ୧୨ ଟି ତାସ୍ ପ୍ୟାକେଟ ସହିତ ୬୦ ଟି ପ୍ଲାଷ୍ଟିକ ଟୋକେନ୍, ଦୁଇଟି କାର୍ ଏବଂ ୬ ଟି ବାଇକ୍ ଜବତ କରିଛି ପୋଲିସ ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀ ଖଡିପଦା ଗ୍ରାମକୁ ଆସି ଅଭିଯୁକ୍ତ ମାନେ ଜୁଆ ଖେଳୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହିତ ୧୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଗିରଫ ଅଭିଯୁକ୍ତ ହେଉଛନ୍ତି ଖଡିପଦା ଗ୍ରାମର ମୁଖ୍ୟ ଅଭିଯୁକ୍ତ ସୋମନାଥ ରାଉତ ସହିତ ମାନସ ପ୍ରଧାନ, ଅମିତ କୁମାର ସାହୁ, ଧ୍ରୁବ ଲୋଚନ ବଳିଆର ସିଂହ, ପୁରୀ ମାର୍କଣ୍ଡେଶ୍ୱର ସାହିର ବିଜୟ କୁମାର ସ୍ବାଇଁ, ଚନ୍ଦନପୁର ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି, ପୁରୀ ନବକଳେବର ରୋଡର ମଧୂସୁଦନ ପ୍ରଧାନ, ଗଞ୍ଜାମ ଅଞ୍ଚଳର ପ୍ରସନ୍ନ କୁମାର ନାୟକ, ଗୌଡବାଡ ସାହିର ପ୍ରମୋଦ ବରାଳ, ପବିତ୍ର ମଲ୍ଲିକ, ଟାଙ୍ଗି ଅଞ୍ଚଳର ପିଣ୍ଟୁ ମାଝି, କଣାସ ଅଞ୍ଚଳର ରାଜେଶ ବେହେରା, ପୁରୀ ଲୋକନାଥ ରୋଡର ଲକ୍ଷ୍ମୀଧର ବାରିକ, ଜଗନ୍ନାଥ ସାହୁ, ପ୍ରଦୀପ୍ତ କୁମାର ଦାସକୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁରୀ ସହରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସହିତ ଅପରାଧୀମାନଙ୍କୁ ଦୃଢ ହସ୍ତରେ ଦମନ କରାଯାଉଛି ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।