ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର

ବେପାର ନାଁ ଷଡ଼ଯନ୍ତ୍ର ? ମିକ୍ସର ପ୍ୟାକେଟରେ ବ୍ରାଉନ୍ ସୁଗାର । ବ୍ରାଉନ୍ ସୁଗାର କାରବାରକୁ ନେଇ ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଉପକଣ୍ଠ ପୋଡାପାଟଣା । ଏଠାରେ ଥିବା ଏକ ମିକ୍ସର ଫ୍ୟାକ୍ଟ୍ରି ରୁ ମିକ୍ସର ପ୍ୟାକେଟ ରେ ବ୍ରାଉନ୍ ସୁଗାର ଚାଲାଣ ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ମିକ୍ସର ଫ୍ୟାକ୍ଟ୍ରି ରେ ଖୋର୍ଦ୍ଧା ଅବକାରୀ ବିଭାଗ ଚଢାଉ କରି ୬ ଟି ମିକ୍ସର ପ୍ୟାକେଟ ରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ୍ କରିଛି । ଉକ୍ତ ଫ୍ୟାକ୍ଟ୍ରିର ମାଲିକ ଜଣେ ପୁର୍ବତନ ସରପଞ୍ଚ ହୋଇଥିବାରୁ ଏହାକୁ ନେଇ ଜିଲ୍ଲା ରାଜନିତି ସରଗରମ ହୋଇଛି । ବ୍ରାଉନ ସୁଗାର କାରବାରରେ ଫ୍ୟାକ୍ଟ୍ରି ମାଲିକ ତଥା ସଦର କୁଞ୍ଜୁରୀ ପଂଚାୟତର ପୁର୍ବତନ ସରପଞ୍ଚ ପଦ୍ମନାଭ ସାହୁ ଓ ଫ୍ୟାକ୍ଟ୍ରି ରେ କାମ କରୁଥିବା ଅନ୍ୟ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

ପଦ୍ମନାଭ ଗିରଫ ହେବା ପରେ ଏହି ଘଟଣା ରୋଚକ ମୋଡ ନେଇଥିଲା । ମିଛରେ ପଦ୍ମନାଭକୁ ଫସାଇ ଦିଆଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ରେ ପହଞ୍ଚି ହୋ ହାଲ୍ଲା କରିଥିଲେ । ସେହିପରି କୁଞ୍ଜୁରି ପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅଭିଯୁକ୍ତଙ୍କୁ ଜଣେ ପ୍ରତିଷ୍ଠିତ, ରାଜନୈତିକ, ବ୍ୟବସାୟୀ ଓ ଚାଷି ବୋଲି କହିବା ସହ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ।