ମଶା ନିରୋଧକ ଔଷଧରେ କ’ଣ ମିଶାଯାଏ? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ବିପଦପୂର୍ଣ୍ଣ

ମଶା ଘଉଡ଼ାଇବା ଔଷଧରେ ଅନେକ ରାସାୟନିକ ଏବଂ ପ୍ରାକୃତିକ ଉପାଦାନ ବ୍ୟବହାର କରାଯାଏ। ଏହି ଜିନିଷଗୁଡ଼ିକ ମଧ୍ୟରୁ ଅନେକ ଆମ ସ୍ୱାସ୍ଥ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

ଡାଇଥାଇଲଟୋଲୁଆମାଇଡ (DEET) ହେଉଛି ସବୁଠାରୁ ସାଧାରଣ ଏବଂ ପ୍ରଭାବଶାଳୀ ରାସାୟନିକ ଉପାଦାନ, ଯାହା ୧୯୪୦ ଦଶକରୁ ମଶା ଏବଂ ଅନ୍ୟାନ୍ୟ କୀଟପତଙ୍ଗକୁ ଘଉଡ଼ାଇବା ପାଇଁ ବ୍ୟବହୃତ ହୋଇଆସୁଛି। DEET ର ସାନ୍ଦ୍ରତା ୪% ରୁ ୧୦୦% ପର୍ଯ୍ୟନ୍ତ ହୋଇପାରେ, ଯାହା ଆମ ଚର୍ମ ପାଇଁ କ୍ଷତିକାରକ ଅଟେ

DEET ର ଏକ ବିକଳ୍ପ ହେଉଛି ପିକାରିଡିନ୍, ଯାହା ଚର୍ମକୁ କମ୍ ପୋଡାଜଳା କରିଥାଏ, ହେଲେ ମଶା, ଟିଙ୍କ ଏବଂ ଅନ୍ୟାନ୍ୟ କୀଟପତଙ୍ଗ ବିରୁଦ୍ଧରେ ପ୍ରଭାବଶାଳୀ ହୋଇଥାଏ ।

ପାଇରେଥ୍ରଏଡ୍ ହେଉଛି କୃତ୍ରିମ କୀଟନାଶକ। ଏଗୁଡ଼ିକ କଏଲ, ମ୍ୟାଟ୍ ଏବଂ ବାଷ୍ପୀକରଣରେ ବ୍ୟବହୃତ ହୁଏ। ଅନ୍ୟପକ୍ଷରେ, ଡାଇଥାଇଲ୍ ଫାଥଲେଟ୍ (DEP) ହେଉଛି ଏକ ଦ୍ରାବକ ଯାହା କିଛି କସମେଟିକ ସାମଗ୍ରୀ ଏବଂ ମଶା ଘଉଡାଇବା ଉତ୍ପାଦରେ ବ୍ୟବହୃତ ହୁଏ।

IR3535 ହେଉଛି ଏକ କୃତ୍ରିମ ଆମିନୋ ଏସିଡ୍ ଯାହା ମଶା ଏବଂ ଟିଙ୍କ ବିରୁଦ୍ଧରେ ପ୍ରଭାବଶାଳୀ ଏବଂ ଗନ୍ଧହୀନ। ତଥାପି, କିଛି ଉତ୍ପାଦରେ ଫର୍ମାଲ୍ଡାଇଡ୍, ସଲଫର ଏବଂ ସୀସା ଭଳି ଉପାଦାନ ମଧ୍ୟ ମିଳିଛି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ଗବେଷଣା ଅନୁଯାୟୀ, DEET ରୁ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ନିରନ୍ତର ବ୍ୟବହାର ଚର୍ମରେ କୁଣ୍ଡାଇ, ଫୁଲା ଏବଂ ଆଲର୍ଜି ସୃଷ୍ଟି କରିପାରେ। ଏହା ପିଲା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ।