ରାଜନୈତିକ ଚକ୍ରବ୍ୟୁହରେ ପରିବାର, ନା ଜଳୁଛି ଚୁଲି, ନା ପେଟକୁ ଯାଇଛି ଦାନା

ଦୁଇ ଦିନ ହେବ ଚୁଲି ଜଳୁନି କି ପେଟକୁ ଦାନା ମୁଠେ ଯାଉନି । ଘର ଭିତରେ ଲହଡ଼ି ମାରୁଥିବା ବର୍ଷା ପାଣି ବୋହି ବୋହି ନୟାନ୍ତ ହେଲେଣି ପୁରା ପରିବାର । ରାଜନୈତିକ ଚକ୍ରବ୍ୟୁହରେ ଫସିଥିବା ପରିବାର ପାଇଁ ଏବେ ଦାଉ ସାଧିଛି ଅଦିନିଆ ଲଘୁଚାପ ଜନିତ ବର୍ଷା । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖେରଙ୍ଗ ଗ୍ରାମରେ । ସୂଚନା ମୁତାବକ ଦୁଇ ଦିନ ହେବ ଚାନ୍ଦବାଲି ଅଞ୍ଚଳରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷାଜଳ ନିଷ୍କାସନ ନ ହେବା କାରଣରୁ ଗାଁ ଗାଁ ରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି ।

ସେହିପରି ଖେରଙ୍ଗ ଗ୍ରାମର ବସନ୍ତ ମଲ୍ଲିକ ଙ୍କ ଘର ଏକ ତଳିଆ ସ୍ଥାନରେ ଅବସ୍ଥିତ । ସେହି ବାଟ ଦେଇ ଗାଁ ଯାକର ବର୍ଷା ପାଣି ନିଷ୍କାସିତ ହୋଇଥାଏ । ମାତ୍ର ଗାଁ ରେ ଥିବା ସରକାରୀ ଜାଗାକୁ କିଛି ମୁଷ୍ଟିମେୟ ଲୋକ ଅବରୋଧ କରିବା ଫଳରେ ବସନ୍ତ ମଲ୍ଲିକଙ୍କ ଘର ନିକଟରେ ଗାଁ ଯାକର ପାଣି ଜମିବା ସହ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି । କେବଳ ସେତିକି ନୁହେଁ ବସନ୍ତ ମଲ୍ଲିକଙ୍କ ଘରେ ଦୁଇ ଫୁଟର ପାଣି ଲହଡ଼ି ଖେଳୁଛି । ଦୀର୍ଘ ୨ବର୍ଷ ହେବ ଏହି ସମସ୍ୟା ଲାଗି ରହିଛି ।

ଏହି ସମସ୍ୟାର ସମାଧାନ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ତହସିଲଦାରଙ୍କ ସହିତ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଆଭିଯୋଗ କରିଛନ୍ତି ବସନ୍ତ । ବର୍ଷା ଜଳ ନିଷ୍କାସନ ପାଇଁ ଅନେକ ବିକଳ୍ପ ଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ସମାଧାନ ହୋଇ ପାରୁନି। ଶାସକ ଓ ବିରୋଧୀଙ୍କ ତୁ ତୁ ମେ ମେ ଯୋଗୁଁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପୁରା ପରିବାର । ଏ ବିଷୟରେ ଚାନ୍ଦବାଲି ତହସିଲଦାର ଓ ଭାରପ୍ରାପ୍ତ ବିଡ଼ିଓ ଭାଵତୋଷ ମଲ୍ଲିକଙ୍କୁ ପଚାରିବାରୁ ମୁଁ ଏହି ଘଟଣା ବିଷୟରେ ଅବଗତ ଅଛି ,ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ।