ଗ୍ରୀଷ୍ମ ଆରମ୍ଭରୁ ଅଚଳ ନଳକୂପ, ମାଠିଏ ପାଣି ପାଇଁ ଯିବାକୁ ପଡୁଛି ଦେଢରୁ ଦୁଇ କିଲୋମିଟର ରାସ୍ତା

ଖରାଦିନ ଆଗରୁ ଦେଖା ଦେଲାଣି ଜଳ ସମସ୍ୟା | ମାଠିଏ ପାଣି ପାଇଁ ଦେଢରୁ ଦୁଇ କିଲୋମିଟର ଯିବାକୁ ପଡୁଛି | ଦୁଇମାସରୁ ଅଧିକ ହେବ ଅଚଳ ହୋଇପଡ଼ିଛି ସାହିରେ ଥିବା ଏକମାତ୍ର ନଳକୂପ | ଅନ୍ୟପଟେ ସାହିକୁ ପାଇପ ପାଣି ଯୋଗାଣ ପାଇଁ ୨ ବର୍ଷରୁ ଅଧିକ ହେବ ପାଇପ ପୋତା ସରିଥିଲେ ସୁଦ୍ଧା ପାଇପ ପାଣିର ଦେଖା ନାହିଁ |

ଗ୍ରୀଷ୍ମ ଆରମ୍ଭରୁ ଚମ୍ପୁଆ ବ୍ଲକରେ ଦେଖା ଦେଲାଣି ପାଣି ସମସ୍ୟା | ଵ୍ଲକରେ ପାଇପ ପାଣି ଯୋଗାଣରେ କଚ୍ଛପ ଗତି ଯୋଗୁ ଦିନକୁ ଦିନ ଏଠାରେ ପାଣି ସମସ୍ୟା ଗୁରୁତର କରୁଛି | ଚମ୍ପୁଆ ବ୍ଳକ ରିମୁଳି ପଞ୍ଚାୟତ ପ୍ରତାପପଶି ଭୂମିଜ ସାହିର ପାଖାପାଖି ଏକ ଶହ ପରିବାର ବସବାସ କରୁଥିବା ବେଳେ ସାହିରେ ରହିଛି ଗୋଟିଏ ମାତ୍ର ନଳକୂପ | ତେବେ ନଳକୂପଟି ଦୁଇ ମାସରୁ ଅଧିକ ହେବ ଅଚଳ ହୋଇ ପଡିରହିଥିବାବେଳେ ଏନେଇ ବାରମ୍ଵାର ପଞ୍ଚାୟତକୁ ଜଣାଇ ଆସୁଥିଲେ ସୁଦ୍ଧା ପଞ୍ଚାୟତ କତୃପକ୍ଷ ଏହାର ମରାମତି ପାଇଁ ଦୃଷ୍ଟି ଦେଇନାହିଁନ୍ତି | ସେହିପରି ଦେଢବର୍ଷରୁ ଅଧିକ ହେବ ସାହିକୁ ପାଇପ ପାଣି ଯୋଗାଣ ପାଇଁ ପାଇପ ପୋତାଯାଇ ଷ୍ଟାଣ୍ଡ ପୋଷ୍ଟବସିଥିଲେ ସୁଦ୍ଧା ପାଣି ଯୋଗାଣ ହେଉ ନଥିବାରୁ ପାଣି ମୁନ୍ଦେ ପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାହି ବାସୀ | ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀମାନେ |

ନଳକୂଅ ଅଚଳ ସହିତ ପାଇପ ପାଣି ଯୋଗାଣରେ ଅହେତୁକ ବିଳମ୍ବରୁ ପାଣିପାଇଁ ଦେଢ କିଲୋମିଟରରୁ ଅଧିକ ହେବ ଏକ ଘରୋଇ ବିଦ୍ୟାଳୟ ଉପରେ ଭରସା କରୁଛନ୍ତି ସାହିବାସୀ | ତେବେ ଏହି ନଳକୂଅ ମରାମତି ପାଇଁ ପଞ୍ଚାୟତକୁ ଦଉଡି ଦଉଡି ନୟାନ୍ତ ହେଉଥିବାବେଳେ ପଞ୍ଚାୟତ କର୍ତ୍ତୁପକ୍ଷ ନଳକୂପ ମରାମତି ପାଇଁ ଗୁରୁତ୍ଵ ଦେଉନଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଗ୍ରାମବାସୀ |

ଅନ୍ୟପଟେ ଏନେଇ ରିମୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ମୋଦି କହିଛନ୍ତି ନଳକୂପ ଅଚଳ ସମ୍ପର୍କରେ ମୋତେ କେହି ଜଣାଇ ନାହାନ୍ତି, ତେବେ ଶୀଘ୍ର ଏହାର ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି |

ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ କଷ୍ଟରେ ଲୋକମାନେ ତ୍ରାହି ତ୍ରାହି ଛାଡିବା ଆରମ୍ଭ କଲେଣି | ଏତିକିବେଳେ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ | କେବଳ ଏଇ ଗୋଟିଏ ସ୍ଥାନରେ ଜଳ ସମସ୍ଯା ଆରମ୍ଭ ହୋଇନାହିଁ | ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି ସରକାରଙ୍କ ଦୃଷ୍ଟି ନିକ୍ଷେପ କରିବା ନିହାତି ଆବଶ୍ୟକ |