
ପାରାଦ୍ଵୀପରେ ଲମ୍ବିଛି ଚୋରା କୋଇଲା ବ୍ୟବସାୟର ଚେର । ପାରାଦ୍ଵୀପ ବନ୍ଦରରୁ ଟ୍ରେନ୍ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା ମୁଲ୍ୟବାନ କୋଇଲାକୁ କିଛି ଦୂର୍ବୁତ୍ତ ଅଧା ବାଟରେ କାଢି ବିକ୍ରି କରୁଥିବା ଜଣାପଡ଼ିଛି। ଗତ ରବିବାର ରାତିରେ ପାରାଦ୍ଵୀପ ସିଜୁ ରେଲୱେ ଷ୍ଟେସନ ନିକଟରେ କିଛି ବ୍ୟକ୍ତି କୋଇଲା କାଢି ଥିବା ଖବର ପାଇବା ପରେ, ରେଲୱେ ପୋଲିସ ସେଠାରେ ପହଞ୍ଚି ପାଖାପାଖି ୫ ଟନର କୋଇଲା ଉଦ୍ଧାର କରିଥିବା ବେଳେ ଗୋଟିଏ ବାଇକ୍ ଜବତ କରିଥିଲେ। ଏହି ଘଟଣାର ତଦନ୍ତ ଭାର ରେଲୱେ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇ ପାରାଦ୍ଵୀପରେ ଚଢ଼ାଉ କରିଥିଲା। କୋଇଲା ଚୋରି ରାକେଟର ଜଣଙ୍କୁ ଗିରଫ କରାଯିବା ସହ ସମ୍ପୃକ୍ତ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

ତଦନ୍ତରେ କ୍ରାଇମବ୍ରାଞ୍ଚ ଦୋଛକି ନିକଟ ଏକ ପାଲ ଘେରା ଘରୁ ବିପୁଳ ପରିମାଣର ଚୋରା କୋଇଲା ଓ ତେଲ ଜବତ କରିଛି । ଏଥିରେ ୧୨ଟି ବ୍ୟାରେଲରେ ପାଖାପାଖି ୨୨ ଶହ ଲିଟର ଚୋରା ଡିଜେଲ ଓ ୬୦୦ ଲିଟର ଚୋରା ପେଟ୍ରୋଲ ଜବତ କରାଯାଇଥିବା ବେଳେ ୩୦ ଟନ୍ ଚୋରା କୋଇଲା ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ୧୪ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

ସୂଚନା ଅନୁସାରେ, ପାରାଦ୍ଵୀପ ବନ୍ଦରରୁ କୋଇଲା ଟ୍ରେନ୍ ଗୁଡିକ ବାହାରିବା ସମୟରେ ଧିରେ ଧିରେ ଯାଇଥାଏ। ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ସହାୟତାରେ ଚଳନ୍ତା ଟ୍ରେନ୍ ରୁ ମୁଲ୍ୟବାନ କୋଇଲା କୁ ତଳକୁ ପକାଇ , ପରେ ଏହାକୁ ନିଜ ଗୋଦାମରେ ରଖି ବିଭିନ୍ନ ଡିପୋକୁ ପଠାଇଥାନ୍ତି। ଏଥିରେ ରେଲୱେ ବିଭାଗର କିଛି କର୍ମଚାରୀ ସାମିଲ ଥିବାର ସୂଚନା କ୍ରାଇମବ୍ରାଞ୍ଚକୁ ମିଳିଥିବା ବିଶେଷ ସୂତ୍ରରୁ ଜଣାପଡିଛି।