
ଦର୍ଶକ ବନ୍ଧୁ ପାରା, ପାରାକୁ କିଏ ବା ପସନ୍ଦ ନ କରେ । ମଣିଷ ଆଉ ପାରାର ସଂପର୍କ ବେଶ୍ ପୁରୁଣା। ପାରା ଥିଲା ମଣିଷର ବିଶ୍ବସ୍ତ ପତ୍ରବାହକ। ସବୁବେଳେ ଦୂରଦେଶୀ ପ୍ରିୟଜନଙ୍କ ପାଖରେ ପତ୍ର ପହଞ୍ଚାଇବାର ମାଧ୍ୟମ ଥିଲା ତ ପୁଣି ପୋଲିସ ଓ ପ୍ରଶାସନର ଜରୁରୀ ବାର୍ତ୍ତାକୁ ସଠିକ ଠିକଣାରେ ପହଞ୍ଚାଉଥିଲା। ହେଲେ ଏହି ଉପଯୋଗୀ ପକ୍ଷୀ ପାରା ଆଜି ମଣିଷ ପାଇଁ ବିପଦ ପାଲଟିଛି । ପାରାଙ୍କ ସଂଖ୍ୟାବୃଦ୍ଧି ମଣିଷ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ପାରା ସଂଖ୍ୟା କମାଇବାକୁ ବୈଶ୍ୱ ସ୍ତରରେ ଆରମ୍ଭ ହୋଇଛି ପ୍ରୟାସ।

ଯୁଗ ଯୁଗରୁ ଘରକୁ ପାରା ଆସିଲେ ଶୁଭ ବୋଲି ବିଶ୍ବାସ ରହିଛି । ଏହି କାରଣରୁ ପାରାକୁ ଦାନା ଦେବା ମଙ୍ଗଳକର ବୋଲି କୁହାଯାଏ। ଏଣୁ ସକାଳୁ ଉଠି ଅନେକ ପାରାକୁ ନିଜ ଘର ଛାତରେ ବା ଅଗଣାରେ ଧାନ, ମୁଗ, ସୋରିଷ ବା ଖୁଦ ଆଦି ଖାଇବାକୁ ଦେଇଥାନ୍ତି ଲୋକେ …. କିନ୍ତୁ ବିଜ୍ଞାନ ମତରେ, ପାରାଙ୍କଠାରୁ ଦୂରେଇ ରହିବା ମଣିଷ ତଥା ପରିବେଶ ପାଇଁ ଭଲ । ଯେମିତି କି ସିଙ୍ଗାପୁରରେ ପାରାଙ୍କୁ ଦାନା ପକାଇଲେ ୫୦୦ ଡଲାର୍ଗ ଜରିମାନା ଦେବାକୁ ପଡ଼ିଥାଏ। ଆମେରିକା ଓ ୟୁରୋପରେ ପାରା ଓ ଗୁଣ୍ଡୁଚିମୂଷାଙ୍କୁ ଗର୍ଭନିରୋଧକ ଔଷଧ ଦିଆଯାଉଥିବା ବେଳେ ଭାରତରେ ମଧ୍ୟ ଏହାର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ ମାନେ ମତ ଦେଲେଣି।

ତେବେ ମୂଷା ଭଳି ପାରାମାନେ ମଧ୍ୟ ବହୁ ରୋଗଜୀବାଣୁ ବାହାକ । ଏଣୁ ପାରାଙ୍କୁ ଦାନା ପକାଇବାର ପ୍ରଚଳିତ ଅଭ୍ୟାସରେ ରୋକ୍ ଲଗାଇବାକୁ ବୈଜ୍ଞାନିକମାନେ ଅନୁରୋଧ କରିଛନ୍ତି। ପାରାଙ୍କ ଯୋଗୁଁ ‘ବର୍ଡ ବ୍ରିଡର୍ସ ଲଙ୍ଗ୍’ ବା ‘ହାଇପର୍ସେନ୍ସିଟିଭିଟି ନ୍ୟୁମାଟାଇଟିସ୍’ ରୋଗ ମଣିଷ ଠାରେ ସଂକ୍ରମିତ ହୋଇଥାଏ। ହିଷ୍ଟୋପ୍ଲାଜ୍ମା କାମ୍ବୁଲାଟମ୍, କ୍ୟାଶ୍ରିଡା ସ୍ଥେସିସେସ୍ ଓ କ୍ରିପ୍ଟୋକୋକସ୍ ନିଓଫର୍ମାନ୍ସ ଭଳି କବକ ପାରାଙ୍କ ମଳରେ ବଢ଼ିଥାନ୍ତି । ଏହି ରୋଗ ସୃଷ୍ଟିକାରୀ କବକକୁ ପାରା ମଣିଷଙ୍କ ସଂସ୍ପର୍ଶକୁ ଆଣିଥାଏ। ଏକ ୪୦୦ ଗ୍ରାମ୍ ଓଜନର ପାରା ତା’ର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ୧୧ କେ.ଜି. ମଳତ୍ୟାଗ କରିଥାଏ।

ଏହି ମଳ ସହର ବା ଗ୍ରାମାଞ୍ଚଳର ଏଣେତେଣେ ପଡ଼ି ଧୂଳିକଣା ହୋଇ ବାୟୁମଣ୍ଡଳରେ ମିଶି ଯାଇଥାଏ। ଏହି ଧୂଳିକଣା ଶ୍ବାସକ୍ରିୟା ଦ୍ବାରା ମଣିଷର ଫୁସଫୁସରେ ପ୍ରବେଶ କରେ । ସେଥିରେ ଥିବା କବକ ଓ ଜୀବାଣୁ ଫୁସ୍ଫୁସ୍ ସଂକ୍ରମଣର କାରଣ ହୁଅନ୍ତି। ଏହା ଫୁସ୍ଫୁସ ବାୟୁକୋଷ ଫୁଲାଇଦିଏ। ଫଳରେ ମଣିଷକୁ ଅଣନିଃଶ୍ବାସୀ ଲାଗିବା ସହ କାଶ ହୋଇଥାଏ। ଏହି ସ୍ଥିତିକୁ ‘ବର୍ଡ ବ୍ରିଡର୍ସ ଲଙ୍ଗ୍’ ବା ‘ହାଇପର୍ସେନ୍ସିଟିଭିଟି ନ୍ୟୁମାଟାଇଟିସ୍’ କୁହାଯାଏ। ଯଥାଶୀଘ୍ର ଏହାର ଚିକିତ୍ସା ନ କଲେ ମୃତ ଆଶଙ୍କା ବି ରହିଛି। ଏଥିସହ ଏହା ନିମୋନିଆ, ବ୍ରୋଙ୍କାଇଟିସ୍ ଓ ଶ୍ବାସ ଆଦି ରୋଗକୁ ମଧ୍ଯ ବଢ଼ାଇଦିଏ।

ବୈଜ୍ଞାନିକଙ୍କ ମତରେ ପାରାମାନେ ସାଧାରଣତଃ ମଣିଷ ଖାଉଥିବା ଖାଦ୍ୟ ସହ ନିଜକୁ ଖାପଖୁଆଇ ନିଅନ୍ତି। ସହର ଓ ଗ୍ରାମାଞ୍ଚଳରେ ପ୍ରଚୁର ପରିମାଣରେ ଖାଦ୍ୟ ମିଳିଯାଉଥିବାରୁ ସେମାନଙ୍କ ପ୍ରଜନନ ହାର ବଢ଼ିବା ସହ ବଂଶବୃଦ୍ଧି ହେଉଛି। ବିଶେଷ କରି ଦିଲ୍ଲୀ, ପୁନେ, ମୁମ୍ବାଇ, ଭୁବନେଶ୍ବର ଆଦି ସହରାଞ୍ଚଳରେ ପାରାମାନଙ୍କ ସଂଖ୍ୟା ବଢୁଥିବା ବେଳେ ଫୁସ୍ଫୁସ୍ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ମିଳିଥିବା ତଥ୍ଯ ଅନୁସାରେ ଭାରତରେ ଇଣ୍ଟଷ୍ଟିସିଆଲ୍ ଫୁଟୁସ୍ ରୋଗର ୪୭.୩% କେବଳ ‘ହାଇପର୍ସେନ୍ସିଟିଭିଟି ନ୍ୟୁମାଟାଇଟିସ୍’ ମାମଲା ଅଟେ। ପାରା ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ କେତ ହାନିକାରକ, ତାହା ଏଥିରୁ ସୃଷ୍ଟ ଜଣାପଡୁଛି ।

ବିଶେଷକରି ଯେଉଁ ସ୍ଥାନରେ ଅଧିକ ପାରା ରହିଛନ୍ତି ବା ପାରାମାନଙ୍କୁ ଖାଇବାକୁ ଦିଆଯାଉଛି, ସେହି ଅଞ୍ଚଳରେ କ୍ରୋନିକ୍ କ୍ଲିଭ୍ ପଲ୍ଲୋନାରି ଡିଜିଜ୍ l ଅଧିକ ହେଉଥିବା ଦେଖାଯାଉଛି।
ବୟସ୍କମାନେ ଏଥିରେ ଅଧୂକ ସଂକ୍ରମିତ ହେଉଛନ୍ତି। ପ୍ରକୃତିର ପ୍ରତିଟି ଜୀବଜନ୍ତୁଙ୍କର ନିଜସ୍ବ ବଞ୍ଚିବା କ୍ଷମତା ରହିଛି। ବୁଲାକୁକୁର ମାନେ ଯେଉଁ ଭଳି ଭାବେ ବିଭିନ୍ନ ଆଡୁ ଖାଦ୍ୟ ସଂଗ୍ରହ କରନ୍ତି, ପାରା ବି ସେମିତି କରିପାରିବେ। ସେମାନଙ୍କୁ ଗୋଟିଏ ସ୍ଥାନରେ ରୁଣ୍ଡ କରି ଖାଇବାକୁ ଦେବା ଅନୁଚିତ।D