କାହିଁକି ପ୍ରଥମାଷ୍ଟମୀ ପାଳନ କରାଯାଏ?

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ।ମୁଖ୍ୟତଃ ଏହି ଅଷ୍ଟମୀରେ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି। ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଧାପନା କରାଯାଇ ପୂଜା କରାଯାଇଥାଏ।କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପରମ୍ପରା ରହିଛି।

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହି ଦିନକୁ ଓଡିଆ ଘରେ ବେଶ ଜାକଜମକରେ ପାଳନ କରାଯାଇଥାଏ। ମୁଖ୍ୟତଃ ଏହି ଅଷ୍ଟମୀରେ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି। ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଧାପନା କରାଯାଇ ପୂଜା କରାଯାଇଥାଏ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ।

ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାଆନ୍ତି। ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ମଧ୍ୟ ହୋଇଥାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ଜ୍ୟଷ୍ଠ ସନ୍ତାନଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ ।ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି ।

ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ, ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ବନ୍ଧୁ ବୋଲି ମଧ୍ୟ କୁହାଯାଏ। ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର କରିବାର ପରମ୍ପରା ରହିଛି।

Leave a Reply

Your email address will not be published. Required fields are marked *