ପ୍ରଥମେ ପ୍ରେମିକା ପରେ ଟ୍ରେନ ଲାଇନରୁ ମିଳିଲା ଅଭିଯୁକ୍ତ ପ୍ରେମିକର ମୃତଦେହ

ଭଡା ଘରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ମୋଡ । ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ସାହୁର ମୃତଦେହ ଝାରସୁଗୁଡା ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଥିବା ସୂଚନା । ତେବେ ଗତ ୪ ତାରିଖରେ କେନ୍ଦୁଝର ଟାଉନ୍ ଥାନା ପବିତ୍ରଡିହା ବରାଳ ଲଜ୍ ଗଳି ନିକଟ ଏକ ବନ୍ଦ ଘରୁ ଅତି ବିଭତ୍ସ ଅବସ୍ଥାରେ ମନୋରମା ବେହେରାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।

ଗତ ୪ ତାରିଖରେ ମନୋରମାଙ୍କ ମୃତଦେହ ମିଳିବା ପରେ ସାଇଣ୍ଟିଫିକ୍ ଟିମ୍ ସହ ସିସିଟିଭି ଓ କଲ୍ ରେକର୍ଡ ଆଦି ଯାଞ୍ଚ କରିଥିଲା ପୋଲିସ୍ । ଯୁବତୀଙ୍କର ପ୍ରାୟ ୪ ବର୍ଷର ପୁରୁଣା ବନ୍ଧୁ ଅଜୟ ସାହୁଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା । ହେଲେ ଅଜୟ ସେତେବେଳେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗତ ୨ ଦିନ ଧରି ଅଜୟଙ୍କୁ ଖୋଜୁଥିଲା ପୋଲିସ୍ । ହେଲେ ଗତ ୪ ତାରିଖ ଦିନ ଅଜୟଙ୍କ ମୃତଦେହ ଝାରସୁଗୁଡା ନିକଟ ରେଳ ଧାରଣାରୁ ରେଳବାଇ ପୋଲିସର ହସ୍ତଗତ ହୋଇଥିଲା । ଏ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି କେନ୍ଦୁଝର ଏସପି । ଅଭିଯୁକ୍ତ ଅଜୟ ସାହୁଙ୍କ ଘର ଭଦ୍ରକ ଥାନା ବନ୍ତ ଅଞ୍ଚଳରେ ହୋଇଥିବା ବେଳେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଲା ସେସମ୍ପର୍କରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *